ବିହାରରେ ଜଙ୍ଗଲରାଜ : କୋର୍ଟ ପରିସରରେ କଏଦୀକୁ ହତ୍ୟା

ସହରସା : ବିହାରରେ ଆଇନର ଶାସନ ବଦଳରେ ଜଙ୍ଗଲରାଜ ଜାରି ରହିଛି । ଅପରାଧୀମାନେ କୋର୍ଟ ଭିତରେ ପଶି ହତ୍ୟାକାଣ୍ଡ କରିବାକୁ ଭୟ କରୁନାହାନ୍ତି ।

ରାଜ୍ୟର ସହରସା ଜିଲ୍ଲାରେ ଅପରାଧୀମାନେ ଏକ ସିଭିଲ କୋର୍ଟ ପରିସରରେ ପଶି ଜଣେ ବିଚାରାଧୀନ କଏଦୀକୁ ଗୁଳିକରି ହତ୍ୟା କରିଛନ୍ତି । କୋର୍ଟରେ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ ସେମାନେ ନିର୍ଦ୍ବନ୍ଦ୍ବରେ ପ୍ରବେଶ କରି ହତ୍ୟାକାଣ୍ଡ କରି ଫେରାର ହୋଇଯାଇଛନ୍ତି । ହାଇସିକ୍ୟୁରିଟି ଜୋନ୍ କୁହାଯାଉଥିବା କୋର୍ଟ କ୍ୟାମ୍ପସ୍ ର ବାରଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କୋର୍ଟ କ୍ୟାମ୍ପସରୁ ଯାଉଥିବା କଏଦୀଙ୍କୁ ସିଡି ନିକଟରେ ୩ରୁ ୪ ଜଣ ଦୁର୍ବୃତ୍ତ ହଠାତ୍ ଆଖିବୁଜା ଗୁଳି ଚଳାଇ ହତ୍ୟା କରିଥିଲେ । ଗୁଳି ବାଜିବାରୁ କଏଦୀ ଜଣକ ସେଠାରେ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ଜଣକ ହେଉଛନ୍ତି ପ୍ରଭାକର ପଣ୍ଡିତ, ଯିଏ କି ମଙ୍ଗଳବାର ସିଭିଲ କୋର୍ଟରେ ହାଜର ହେବାକୁ ଆସିଥିଲେ। ଏହି ହତ୍ୟା କାଣ୍ଡ ପରେ କୋର୍ଟରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଏସପି ଲିପି ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ଖବର ଲେଖାହେବା ସୁଦ୍ଧା ଅପରାଧୀମାନଙ୍କୁ ଗିରଫ କରାଯାଇ ପାରିନାହିଁ । ଏହି ଘଟଣା ପୁଣି ଥରେ ବିହାରର କୋର୍ଟ ପରିସରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ସମ୍ବନ୍ଧିତ ଖବର