ମୁମ୍ବାଇ: ଦକ୍ଷିଣ ଓଡ଼ିଶାରେ ଥିବା ଗୋପାଳପୁର ବନ୍ଦର ବିକ୍ରି ହୋଇପାରେ। ଋଣ ପରିଶୋଧ ଲାଗି ପାଣ୍ଠି ଯୋଗାଡ଼ରେ ବ୍ୟସ୍ତ ଥିବା ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଏହାର କିଛି ସମ୍ପତ୍ତି ବିକ୍ରି କରିବା ଉପରେ ବିଚାର କରୁଛି। ସେହି ତାଲିକାରେ ଗୋପାଳପୁର ବନ୍ଦର ନାମ ଥିବା ଚର୍ଚ୍ଚା ହେଉଛି। ତେବେ କଂପାନି ପକ୍ଷରୁ ଏପର୍ଯ୍ୟନ୍ତ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ।
ଗୋପାଳପୁର ବନ୍ଦରର ବର୍ତ୍ତମାନ ପ୍ରମୋଟର ହେଉଛନ୍ତି ସାପୁରଜୀ ପାଲୋଞ୍ଜି ଗ୍ରୁପ୍ (ଏସ୍ପି ଗ୍ରୁପ୍) ଓ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍। ବନ୍ଦରର ମାଲିକାନା ଅଂଶଧନ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ପାଖରେ ରହିଛି। ବନ୍ଦରର କ୍ଷମତା ୨୦ ଏମ୍ଏମ୍ଟି ହୋଇଥିବା ବେଳେ ସେଥିରେ ତିନିଟି ବର୍ଥ ରହିଛି ବୋଲି ବନ୍ଦରର ୱେବସାଇଟ୍ରେ ଉଲ୍ଲେଖ ରହିଛି। ୨୦୧୭ରେ ଗୋପାଳପୁର ବନ୍ଦରର ୬୦ ପ୍ରତିଶତ ଅଂଶଧନକୁ ସାରା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଓ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ଠାରୁ ଏସ୍ପି ଗ୍ରୁପ୍ କିଣିଥିଲା।
ସାପୁର ମିସ୍ତ୍ରୀଙ୍କ ଅଧୀନରେ ପରିଚାଳିତ ହେଉଥିବା ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ୨୦୦ କୋଟି ଡଲାର ଯୋଗାଡ଼ କରିବା ଲାଗି ବିଭିନ୍ନ ସମ୍ପତ୍ତି ବିକ୍ରି କରିବାକୁ ଯୋଜନା ରଖିଛି। ଏହା ନିଜର ଭିତ୍ତିଭୂମି ବିକାଶ କଂପାନି ଆଫ୍କନ୍ସ ଇନଫ୍ରାଷ୍ଟକ୍ଚର୍କୁ ମଧ୍ୟ ବିକ୍ରି କରିବାକୁ ଚାହୁଛି। ତେବେ ସମ୍ପତ୍ତି ବିକ୍ରି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କର କୋଠାଠାରୁ ଆରମ୍ଭ କରି ମୁମ୍ବାଇର ତାଜ ମହଲ ହୋଟେଲ୍ ପ୍ୟାଲେସ୍, ଷ୍ଟାଡିୟମ୍ ଓ କାରଖାନା ଆଦି ନିର୍ମାଣ କରିବାର ଅଭିଜ୍ଞତା ରଖିଥିବା ଏସ୍ପି ଗ୍ରୁପ୍ ସଡ଼କ, ପୋଲ ଓ ଟନେଲ୍ ଆଦି ମଧ୍ୟ ନିର୍ମାଣ କରିଛି।
ଗତ ବର୍ଷ ତିନି ମାସ ବ୍ୟବଧାନରେ ମିସ୍ତ୍ରୀ ପରିବାର ଏହାର ଦୁଇ ପ୍ରମୁଖ ସଦସ୍ୟଙ୍କୁ ହରାଇଥିଲା। ୨୦୨୨ ସେପ୍ଟେମ୍ବରରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ସାନ ପୁଅ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ତାହାର ତିନି ମାସ ପୂର୍ବରୁ ଗ୍ରୁପ୍ର ପ୍ରତିଷ୍ଠାତା ତଥା ସାଇରସ୍ଙ୍କ ବାପା ପାଲୋଞ୍ଜି ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ଟାଟା ଗ୍ରୁପ୍ରେ ମିସ୍ତ୍ରୀ ପରିବାରର ୧୮ ପ୍ରତିଶତ ଅଂଶଧନ ରହିଛି ଯାହା ସେମାନଙ୍କର ସବୁଠୁ ବଡ଼ ସମ୍ପତ୍ତି। ମାତ୍ର ଟାଟା ସନ୍ସ ସହିତ ଚାଲିଥିବା ଆଇନଗତ ଲଢ଼େଇରେ ସେହି ସମ୍ପତ୍ତି ସମ୍ପୂର୍ଣ୍ଣ ଫସିରହିଛି। ତେଣୁ ଋଣ ଶୁଝିବା ଲାଗି ପାଣ୍ଠି ଯୋଗାଡ଼ କରିବା ଏସ୍ପି ଗ୍ରୁପ୍ ଲାଗି କଷ୍ଟକର ହୋଇପଡ଼ିଛି। ଗତବର୍ଷ ଏହି ସଂସ୍ଥା ୟୁରେକା ଫୋର୍ବସ୍କୁ ୪୪୦୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏହା ବ୍ୟତୀତ ଷ୍ଟର୍ଲିଂ ଆଣ୍ଡ୍ ୱିଲ୍ସନ୍ ରିନୁଏବଲ୍ସ ଏନର୍ଜି ଲିମିଟେଡ୍କୁ ମଧ୍ୟ ବିକ୍ରି କରି ଯେଉଁ ପାଣ୍ଠି ହାସଲ କରିଥିଲା ତାହାକୁ ଋଣ ପରିଶୋଧ କରିବାରେ ବ୍ୟବହାର କରିଛି। ଟାଟା ସନ୍ସରେ ଥିବା ଅଂଶଧନକୁ ବନ୍ଧକ ରଖି ପାଣ୍ଠି ଯୋଗାଡ଼ କରିବା ଉପରେ ମଧ୍ୟ ଏସ୍ପି ଗ୍ରୁପ୍ ବିଚାର କରୁଛି।