ସିବିଆଇ ଅଧିକାରୀଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବାର ଉଦ୍ୟମ ବିଫଳ, କାର୍ ଡ୍ରାଇଭରଙ୍କ ପାଇଁ ବଞ୍ଚିଲା ଜୀବନ

ଗୋରଖପୁର: ସିବିଆଇ ଅଧିକାରୀଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା ଉଦ୍ୟମ। ଦିଲ୍ଲୀରୁ ଗୋରଖପୁରକୁ ଆସୁଥିବା ସିବିଆଇ ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ତେବେ କାରର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଡେପୁଟି ଏସପି ରୁପେଶଙ୍କ ଜୀବନ ବଞ୍ଚି ଯାଇଛି। ଅନ୍ୟପକ୍ଷରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିବାରୁ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇ ଏସପି ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏବେ ଡେପୁଟି ଏସପିଙ୍କ ଅଭିଯୋଗ ଅନୁଯାୟୀ ଗୁଲ୍ରିହା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥି ସହିତ ସିବିଆଇ ମୁଖ୍ୟାଳୟର ଅଧିକାରୀମାନଙ୍କୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିବିଆଇ ଡେପୁଟି ଏସପି ରୂପେଶ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ସେ ବର୍ତ୍ତମାନ ଅନେକ ସମ୍ବେଦନଶୀଳ ମାମଲାର ତଦନ୍ତ କରୁଛନ୍ତି। ଏଥିରେ ପୂର୍ବ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ ଟ୍ରକଟି ଯେପରି ଭାବେ ତାଙ୍କ ବୋଲେରୋକୁ ଦୁଇ ଥର ଧକ୍କା ଦେଇ ଓଲଟି ପଡିଥିଲା, ଏଥିରୁ ତାଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା କଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ତେବେ ଗତ ମାସରେ ଏଭଳି ଏକ ଘଟଣା ଘଟିଥିଲା। ହରିୟାଣାର ନୁହ ଜିଲ୍ଲାରେ ଖଣି ମାଫିଆମାନେ ଯାଞ୍ଚ ପାଇଁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ତାଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର