ଗୋରଖପୁର ଡାକ୍ତରଙ୍କ ବର୍ବର କାଣ୍ଡ : ପୂର୍ବ ପତ୍ନୀଙ୍କୁ ହତ୍ୟା ପରେ ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ୍‌ ଚଳାଉଥିଲେ

ଗୋରଖପୁର : ଗୋରଖପୁରର ଜଣେ ଡାକ୍ତର ଅତି ବର୍ବର କାଣ୍ଡ ଘଟାଇଛନ୍ତି। ପୂର୍ବ ପତ୍ନୀଙ୍କୁ ହତ୍ୟା କରି ସେ ଦୀର୍ଘ ୭ ମାସ ହେବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ତଥା ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ ଚଳାଉଥିଲେ। ପୂର୍ବ ପତ୍ନୀଙ୍କ ବାପଘର ଲୋକଙ୍କ ଆଖିରେ ଧୂଳି ଦେଇ ସେ ଏଭଳି କାଣ୍ଡ ଘଟାଇଥିଲେ। କିନ୍ତୁ ଗତ ଶୁକ୍ରବାର ଏହି ଘଟଣା ଉପରୁ ପରଦା ଉଠିଛି। ଉକ୍ତ ଡାକ୍ତରଙ୍କ ନାମ ଡିପି ସିଂହ। ସେ ୟୁପିସ୍ଥିତ ଗୋରଖପୁରର ଏକ ହସ୍ପିଟାଲ୍‌ରେ ନିର୍ଦ୍ଦେଶକ ଥିଲେ। ଡାକ୍ତର ସିଂହ ଅନ୍ୟ ଦୁଇ ଜଣ ସହକର୍ମୀଙ୍କ ସହ ମିଶି ତାଙ୍କ ପୂର୍ବ ପତ୍ନୀ ରାଜେଶ୍ବରୀଙ୍କୁ ହତ୍ୟା ଯୋଜନା କରିଥିଲେ। ଗତ ଜୁନ୍‌ ମାସରେ ରାଜେଶ୍ବରୀଙ୍କୁ ସେ ନେପାଳରେ ହତ୍ୟା କରିଥିଲେ ଏବଂ ପରେ ଭାରତ ଚାଲି ଆସିଥିଲେ। କୌଣସି ସନ୍ଦେହଜନକ ପରିସ୍ଥିତି ନଉପୁଜିବାପାଇଁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଚଳାଉଥିଲେ। ତେବେ ରାଜେଶ୍ବରୀଙ୍କ ଭାଇ ଏହି ମାମଲାରେ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା ଏବଂ ଡାକ୍ତର ଡିପି ସିଂହଙ୍କ ବର୍ବର କାଣ୍ଡର ପର୍ଦ୍ଦାଫାସ ହୋଇଛି। ଡାକ୍ତର ଡିପି ସିଂହଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର