କିଏ କହୁଛି ସତ? ସାମ୍ନାକୁ ଆସିଲା ଗୋସାବୀ ଓ ୱାଙ୍ଖେଡେଙ୍କ ଫଟୋ

ମୁମ୍ବାଇ: ସାମ୍ନାକୁ ଆସିଲା କେପି ଗୋସାବୀ ଓ ସମୀର ୱାଙ୍ଖେଡେଙ୍କ ଫଟୋ | ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର କିଏ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିବା କହିଥିଲେ ଗୋସାଵୀ | ତେବେ ସମୀରଙ୍କ ସହ ତାଙ୍କ ଫଟୋ ଆଜି ଜାତୀୟ ଗଣମାଧ୍ୟମରେ ଭାଇରାଲ ହୋଇଛି | ପୂର୍ବରୁ କେପି ଗୋସାବୀ ସମୀର କିଏ ତାଙ୍କୁ ଜାଣିନଥିବା କହିଥିବାବେଳେ ଫଟୋରେ ସେ ସମୀରଙ୍କ ପଛ ପଟେ ଛିଡା ହୋଇଥିବାର ଦେଖିବାକୁ ମିଳିଛି | କୁହାଯାଉଛି ଯେ ଏହି ଫଟୋଟି ଅକ୍ଟୋବର ୨ ତାରିଖ ଦିନ ଉଠାଯାଇଥିଲା | ଆଉ ଯେଉଁଦିନ ରେଡ କରାଯାଇଥିଲା ସେଦିନ ଏନସିବି ଅଧିକାରୀମାନଙ୍କ ସହ କେପି ଗୋସାବୀ ସେଠାରେ ଉପସ୍ଥିତ ଥିଲେ | ଆରୟନଙ୍କ ସହ ସେଲଫି ଏବଂ ତାଙ୍କ ନିଜ ଫୋନ ଦେଇଥିବାର ଭିଡିଓ ଉପରେ ସଫେଇ ଦେଇ ଗୋସାବୀ ଗତକାଲି କହିଥିଲେ ଯେ, ନିଜ ମ୍ୟାନେଜରଙ୍କ ସହ କଥା ହେବା ପାଇଁ ଆରୟନ ଖାନ୍ ମୋତେ ଡାକିଥିଲେ, କାରଣ ସେତେବେଳେ ତାଙ୍କ ପାଖରେ ନିଜର ଫୋନ୍ ନଥିଲା।

ଏହା ପରେ ସେ ମାତା-ପିତା ଏବଂ ମ୍ୟାନେଜରଙ୍କୁ ଫୋନ କରିବା ପାଇଁ ମୋ ଫୋନ୍ ମାଗିଥିଲେ। ମୁଁ କେବଳ ତାଙ୍କୁ ସାହାଯ୍ୟ କରିଥିଲି ଏବଂ ଅକ୍ଟୋବର ୬ ପରେ ମୁଁ ମୁମ୍ବାଇ ଛାଡ଼ିଥିଲି। ସମୀର ୱାଙ୍ଖେଡେଙ୍କୁ ମୁଁ କେବଳ ଟିଭିରେ ଦେଖିଛି, ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିନାହିଁ। ମୁଁ ପୂର୍ବରୁ ଏନସିବିର କୌଣସି ଚଢ଼ାଉରେ ସାମିଲ ହୋଇନାହିଁ। ତେବେ ବର୍ତ୍ତମାନ ସମୀରଙ୍କ ସହ ଗୋସାବୀଙ୍କ ଫଟୋ ଭାଇରାଲ ହେବା ପରେ ଗୋସାବୀଙ୍କ ମିଛ ସାମ୍ନାକୁ ଆସିଯାଇଛି | ସୂଚନା ଥାଉ କି ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁତ୍ର ଆରୟନ ଖାନ୍‌ଙ୍କୁ ମୁକୁଳାଇବା ପାଇଁ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ମଗାଯାଇଥିବା ନେଇ କ୍ରୁଜ୍ ଡ୍ରଗ୍ ମାମଲାର ସାକ୍ଷୀ କେପି ଗୋସାବୀଙ୍କ ବ୍ୟକ୍ତିଗତ ଦେହରକ୍ଷୀ ପ୍ରଭାକର ଶୈଳ ରବିବାର ଦାବି କରିଥିଲେ |

ଆଉ ଏହା ପରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା | ତେବେ କେବଳ ଗୋସାଵୀ ନୁହନ୍ତି ବରଂ ମନୀଷ ଭାନୁସାଲି ନାମକ ଜଣେ ବିଜେପି କର୍ମୀଙ୍କ ସହ ମଧ୍ୟ ସମୀରଙ୍କ ଏକ ଫଟୋ ଦେଖିବାକୁ ମିଳିଛି | ତେବେ ମନୀଷ ଡ୍ରଗ୍ସ କାରବାର ନେଇ ଏନସିବିକୁ ଖବର ଦେଇଥିଲେ ବୋଲି କୁହାଯାଇଥିଲା | ଆଉ ରେଡ ପରେ ଉଭୟ ମନୀଷ ଓ ଗୋସାଵୀଙ୍କୁ ଏନସିବି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା | ଏହା ପରେ ଏବେ ପ୍ରଶ୍ନ ଉଠିଛି ଯେ ଏନସିବିର ରେଡ ସମୟରେ ଏହି ଦୁଇଜଣ କଣ କରୁଥିଲେ | ସେମାନଙ୍କୁ କିଭଳି ରେଡ ସମୟରେ ଅନୁମତି ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି |

ସମ୍ବନ୍ଧିତ ଖବର