ଗୋଟାବାୟା ଦେଶ ଛାଡ଼ି ପଳାଇପାରନ୍ତି, ସାମରିକ ବିଦ୍ରୋହ ଆଶଙ୍କା

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଂକଟରୁ ସୃଷ୍ଟ ରାଜନୈତିକ ସଂକଟ ଏବେ ଚରମରେ ପହଞ୍ଚିଛି। ଏବେ ଏପରି ଅବସ୍ଥା ଆସିଛି, ପଦ ଛାଡ଼ିବାକୁ ରାଜି ହେଉ ନ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ମହାଭିଯୋଗ ଦ୍ବାରା ଗାଦିଚ୍ୟୁତ କରାଯାଇପାରେ, ସେ ଦେଶ ଛାଡ଼ି ପଳାଇପାରନ୍ତି କିମ୍ବା ସାମରିକ ବିଦ୍ରୋହ ଦ୍ବାରା ତାଙ୍କୁ ଗାଦିରୁ ବିତାଡ଼ିତ କରାଯାଇପାରେ। ଚଳିତ ସପ୍ତାହରେ ହୋଇଥିବା ସରକାରବିରୋଧୀ ହିଂସାରେ ୮ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଛନ୍ତି ଏବଂ ରାନିଲେ ବିକ୍ରମସିଂଘେ ଆଜି ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବି ଗାଦି ଛାଡ଼ିବାକୁ ଅମଙ୍ଗ ଗୋଟାବାୟା ନୂଆ ସରକାର ଗଢ଼ିବାକୁ ଉଦ୍ୟମ କରୁଛନ୍ତି। ଏକ ଟିଭି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଯେ ସେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏକ ନୂଆ ସରକାର ଗଢ଼ିବାର ସୁଯୋଗ ଦେବେ। ସ୍ଥିରତା ଆସିବା ପରେ ସେ ସବୁ ରାଜନୈତିକ ଦଳ ସହ ତାଙ୍କର କ୍ଷମତା ହ୍ରାସ ବିଷୟରେ ଆଲୋଚନା କରିବେ।

ଏହା ପୂର୍ବରୁ ସରକାରୀ ସମର୍ଥକମାନେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିବା ଓ ହିଂସାକାଣ୍ଡ ସୃଷ୍ଟି ହେବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟାବାୟା ରାଜପକ୍ଷ ଗତ ଗୁରୁବାର ସକାଳେ ସାରା ଦେଶରେ କର୍ଫ୍ୟୁ ଜାରି କରିଥିଲେ। ଏହାପରେ ବିରୋଧୀମାନେ ଶାସକଦଳ ସାଂସଦମାନଙ୍କ ଉପରେ ଆକ୍ରମଣ କରିବା ସହ କେତେକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ତାଙ୍କ ଭାଇ ମହିନ୍ଦା ରାଜପକ୍ଷ କ୍ୟାବିନେଟ୍‌କୁ ଭାଙ୍ଗିଦେବା ଲାଗି ନିଜେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏବଂ ଏ ବର୍ଷର ୮.୬ ବିଲିୟନ (ଶହ କୋଟି) ଡଲାରର ଋଣଦାତାଙ୍କ ସହ କଥାବାର୍ତ୍ତା କରିବାକୁ କୌଣସି ସରକାର ନାହାନ୍ତି। ୨୨ ନିୟୁତ ଲୋକସଂଖ୍ୟା ବିଶିଷ୍ଟ ଦ୍ବୀପଦେଶର ଲୋକମାନଙ୍କୁ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ଏବଂ ଦେଶର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ଗୋଟିଏ ଚୁକ୍ତିନାମାର ଆବଶ୍ୟକତା ରହିଛି।

ଏବେ ଗୋଟାବାୟା କହୁଛନ୍ତି ଗାଦିରୁ ହଟିବେନି, ବିରୋଧୀମାନେ ସମ୍ବିଧାନରେ ପରିବର୍ତ୍ତନ ନ କରି ତାଙ୍କର ମିଳିତ ସରକାର ଗଠନ ପ୍ରସ୍ତାବରେ ରାଜି ନୁହନ୍ତି। ସମ୍ବିଧାନରେ ପରିବର୍ତ୍ତନ ହେଲେ ରାଷ୍ଟ୍ରପତିଙ୍କର ଅଖଣ୍ଡ କ୍ଷମତା ଆଉ ରହିବ ନାହିଁ, ତେଣୁ ସେ ବିରୋଧୀଙ୍କ ଉକ୍ତ ପ୍ରସ୍ତାବରେ ରାଜି ହେଉନାହାନ୍ତି। ଅବସ୍ଥା ଅଧିକ ଖରାପ ହେବା ପୂର୍ବରୁ ଗୋଟାବାୟା ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ ବୋଲି କଲମ୍ବୋ ସ୍ଥିତ ନ୍ୟାସନାଲ ପିସ୍ କାଉନ୍‌ସିଲର ନିର୍ବାହୀ ନିର୍ଦ୍ଦେଶକ ଜେହାନ ପେରେରା କହିଛନ୍ତି। ତେବେ ଯଦି ଏପରି ଅଚଳାବସ୍ଥା ଲାଗିରହେ ‌ତେବେ ଆଗକୁ ଘଟିବା ଲାଗି ରହିଛି ପାଞ୍ଚଟି ସମ୍ଭାବନା। ପ୍ରଥମତଃ ମହାଭିଯୋଗ ଦ୍ବାରା ରାଷ୍ଟ୍ରପତି ଗୋଟାବାୟାଙ୍କୁ ଗାଦିଚ୍ୟୁତ କରାଯାଇପାରେ। ଶ୍ରୀଲଙ୍କାର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କୁ ଗାଦିରୁ ହଟାଇବା କଷ୍ଟକର ଓ ସମୟସାପେକ୍ଷ। ପ୍ରଥମତଃ ଦୁଇତୃତୀୟାଂଶ ସାଂସଦଙ୍କ ଦ୍ବାରା ଏକ ରିଜଲ୍ୟୁସନ ପାସ୍ ହେବ। ରାଷ୍ଟ୍ରପତି କାହିଁକି ଅଯୋଗ୍ୟ ସେଥିରେ କାରଣ ଦର୍ଶାଯିବ। ତା’ପରେ ସୁପ୍ରିମ୍‌କୋର୍ଟ ଏହାର ତଦନ୍ତ କରିବ। ବିଚାରପତିମାନେ ଯଦି କହିବେ ଦର୍ଶାଯାଇଥିବା କାରଣଗୁଡ଼ିକ ଯୁକ୍ତିଯୁକ୍ତ, ତେବେ ମହାଭିଯୋଗ ଉପରେ ଭୋଟ ହେବ। ରାଷ୍ଟ୍ରପତିଙ୍କ ବିରୋଧରେ ଅଧିକ ଭୋଟ ପଡ଼ିଲେ ସେ ବିଦା ହେବେ। ଅନ୍ୟପକ୍ଷରେ ଆଉ ଏକ ନିର୍ବାଚନ ପାଇଁ ବ୍ୟୟ କରିବା କ୍ଷମତା ଶ୍ରୀଲଙ୍କାର ନାହିଁ। ଏଭଳି ସ୍ଥିତିରେ ସାମରିକ ବିଦ୍ରୋହ ଦ୍ବାରା ରାଷ୍ଟ୍ରପତିଙ୍କୁ ବିଦା କରିବା ପାଇଁ ପ୍ରୟାସ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର