ଗୋତବୟା ରାଜପକ୍ଷେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ମୋଦୀ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରତିରକ୍ଷା ସଚିବ ଗୋତବୟା ରାଜପକ୍ଷେ ଆଜି ଦେଶର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ରାଜପକ୍ଷେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଶାସକ ଦଳର ପ୍ରାର୍ଥୀ ସଜିତ ପ୍ରେମଦାସାଙ୍କୁ ପରାଜିତ କରିଛନ୍ତି। ୭୦ ବର୍ଷୀୟ ଅବସରପ୍ରାପ୍ତ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଗୋତବୟା ୪୮.୨ ପ୍ରତିଶତ ଭୋଟ୍‌ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୃହମନ୍ତ୍ରୀ ୫୨ ବର୍ଷୀୟ ସଜିତ ପ୍ରେମଦାସା ୪୫.୫ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଉଭୟଙ୍କ ମଧ୍ୟରେ ଲଢେଇ ଜୋର୍‌ଦାର ହୋଇଥିଲା। ଗୋତବୟା ରାଜପକ୍ଷେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହା ସାଧାରଣ ଲୋକଙ୍କ ବିଜୟ ବୋଲି କହିଛନ୍ତି। ଗୋତବୟା ରାଜ‌ପକ୍ଷେ ବର୍ତ୍ତମାନର ରାଷ୍ଟ୍ରପତି ମୈଥିରିପାଲ ସିରିସେନାଙ୍କ ସ୍ଥାନରେ ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଅପରପକ୍ଷେ, ଗୋତବୟା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେ ମଧ ନିଜ ପଦବୀରୁ ଇସ୍ତଫା ଦେବେ। ଗୋତବୟା ନିଜ ବଡ଼ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗୋତବୟା ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ବଜାୟ ରହିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର