ଶ୍ରୀଲଙ୍କା ଫେରିଲେ ଗୋଟାବାୟା ରାଜପକ୍ଷେ, ସରକାର ଯୋଗାଇଦେଲେ ଘର, ସୁରକ୍ଷା

କଲମ୍ବୋ :  ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି । ପ୍ରାୟ ୫୧ ଦିନ ପରେ ସେ ସ୍ବଦେଶ ଫେରିଛନ୍ତି । ଏହାକୁ ନେଇ ଦେଶରେ ପୁଣି ବିରୋଧ ଦେଖାଯିବାର ଆଶଙ୍କା ଥିବାରୁ ତାଙ୍କ ପାଇଁ କଡ଼ା ସୁରକ୍ଷା ବନ୍ଦବୋସ୍ତ କରାଯାଇଛି । ତାଙ୍କ ପାଇଁ ଶ୍ରୀଲଙ୍କା ସରକାର ଏକ ସରକାରୀ ବାସଗୃହ, ସହାୟକ କର୍ମଚାରୀ ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଶୁକ୍ରବାର ରାତିରେ ସେ କଲମ୍ବୋର ବନ୍ଦରନାଇକେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଥିଲା । କଲମ୍ବୋର ଓ୍ବିଜେରାମା ମେଓ୍ବାଠା ନିକଟରେ ତାଙ୍କୁ ଏକ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଛି । ତାଙ୍କ ଘର ନିକଟରେ ବଡ଼ ଭାଇ ମହିନ୍ଦ ରାଜପକ୍ଷେ ରହୁଛନ୍ତି ।

ସେ ଆମେରିକାରେ ଗ୍ରୀନକାର୍ଡ ଭିସା ପାଇଁ ଆବେଦନ କରିଥିବାବେଳେ ଭିସା ମଂଜୁର ହେବା ପର୍ଯ୍ୟନ୍ତ କଲମ୍ବୋରେ ରହିବେ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ ।

ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ରାଷ୍ଟ୍ରପତି ହେବା ପରେ ଗୋଟାବାୟାଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର ହୋଇଥିଲା । କାରଣ ଗୋଟାବାୟାଙ୍କ ଦଳ ସମର୍ଥନରେ ହିଁ ସେ ରାଷ୍ଟ୍ରପତି ହୋଇଛନ୍ତି ବୋଲି କୁହାଯାଉଛି ।

 

ସମ୍ବନ୍ଧିତ ଖବର