ଭୁବନେଶ୍ବର: ବେନିୟାମିନଙ୍କ ରଚିତ ମାଲୟାଲମ୍ ଉପନ୍ୟାସ ‘ଗୋଟ୍ ଡେଜ୍’ର ଓଡ଼ିଆ ଅନୁବାଦ ‘ଛେଳି ଚରେଇବାର ଦିନ’ ନିମନ୍ତେ ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ୨୦୨୧ ବର୍ଷ ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ସାହିତ୍ୟ ଅକାଦେମିର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଡ.ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି। ଜଣେ ସଫଳ ଅନୁବାଦକ ଭାବେ ଶ୍ରୀ ଦାସଙ୍କର ୬ଟି କୃତି ରହିଛି। ଏଥିପୂର୍ବରୁ ଭଗବାନ୍ ରଜନୀଶ, ସେହିସବୁ ପିଲାଦିନ ଓ ଗୋଟେ ଜୀବନ ଯଥେଷ୍ଟ ନୁହେଁ ଆଦି ପୁସ୍ତକ ଅନ୍ୟତମ।
ସାହିତ୍ୟ ଅକାଦେମି ପୁରସ୍କାର ପ୍ରାପ୍ତ ଲେଖକ ଗୌରହରି ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ସମ୍ପାଦକ ଏବଂ ସ୍ତମ୍ଭକାର। ୧୯୬୦ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ଡ.ଦାସଙ୍କର ପ୍ରଥମ ପୁସ୍ତକ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ରେ ପ୍ରକାଶ ପାଇଥିଲା। ନିଜର ସାହିତ୍ୟିକ କୃତି ଲାଗି ଶ୍ରୀ ଦାସ ବହୁ ଭାବେ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ସହିତ ରାଜ୍ୟ ଓ ରାଜ୍ୟବାହାରର ବହୁ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।
/sambad/media/post_attachments/wp-content/uploads/2022/06/51JJG5znKvL._SX333_BO1204203200_-1.jpg)
ଛେଳି ଚରେଇବାର ଦିନ ଉପନ୍ୟାସଟି ଜଣେ ଦରିଦ୍ର ବ୍ୟକ୍ତିର ଜୀବନ କାହାଣୀ ଉପରେ ପର୍ଯ୍ୟବସିତ। ଅଗଣିତ ମାଲୟାଲୀଙ୍କ ପରି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା କେରଳର ଗରିବ ନଜୀବ୍ ମଧ୍ୟ ପ୍ରଚୁର ଅର୍ଥ ଉପାର୍ଜନ ନିମନ୍ତେ ଉପସାଗୀୟ ଦେଶକୁ ଯିବା ପାଇଁ ଇଚ୍ଛା କରିଥିବା କଥାରୁ ଉକ୍ତ ଉପନ୍ୟାସ ଆରମ୍ଭ ହୋଇଛି। ନଜୀବ୍ଙ୍କ ସାଙ୍ଗର ଭିଣୋଇଠାରୁ ଭିସା କିଣିବା ପ୍ରସ୍ତାବ ପାଇ ସେ ଉପସାଗରୀୟ ଦେଶକୁ ଯିବା ପାଇଁ ସୁଯୋଗ ପାଇଛନ୍ତି। ସେ ତାଙ୍କର ଘର ଏବଂ ସମସ୍ତ ଧନସମ୍ପତ୍ତି ବନ୍ଧା ପକାଇ ଭିସା କିଣି ସାଉଦୀ ଆରବର ରିୟାଦ୍କୁ ଯାଇଛନ୍ତି। ସେଠାରେ ତାଙ୍କୁ ଜଣେ ଆରବୀ କ୍ରୀତଦାସ ଭାବେ ଗ୍ରହଣ କରି ଛେଳି ଓ ଓଟ ଚରାଇବା କାମରେ ନିୟୋଜିତ କରିଛନ୍ତି। ସେଉଠୁ ଆରମ୍ଭ ହୋଇଛି ନଜୀବ୍ଙ୍କର ସାଢ଼େ ୩ ବର୍ଷର ‘ଛେଳି ଚରେଇବାର ଦିନ’।
ଗୌରହରି ଦାସଙ୍କଦ୍ବାରା ଅନୁବାଦ କରାଯାଇଥିବା ‘ଛେଳି ଚରେଇବାର ଦିନ’ ଉପନ୍ୟାସ ପ୍ରଥମେ ଭୁବନେଶ୍ବରର ଆର୍ଯ୍ୟ ବେଦାନ୍ତ ପ୍ରକାଶନ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏହାପରେ କଟକର ଫ୍ରେଣ୍ଡସ୍ ପବ୍ଲିସର୍ସ ଦ୍ବିତୀୟ ସଂସ୍କରଣ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ghd.jpg)