ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ଓ୍ଵାଘ୍‌ମାରେ

୫ ରାଜ୍ୟରେ ଲମ୍ବିଛି ଅଜଣା ସଂଗଠନର ଚେର

ନୂଆଦିଲ୍ଲୀ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡରେ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)କୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ପର୍ଶୁରାମ ଓ୍ଵାଘମାରେ ହିଁ ଗୌରୀଙ୍କୁ ହତ୍ୟା କରିଛି ଓ ଏହା ଫରେନସିକ୍‌ ଯାଞ୍ଚରୁ ସ୍ପଷ୍ଟ ହୋଇଛି ବୋଲି ଆଜି ଏସ୍‌ଆଇଟି ପ୍ରକାଶ କରିଛି। ଯେଉଁ ବନ୍ଧୁକରେ ଗୌରୀଙ୍କୁ ହତ୍ୟା କରାଯାଇଥିଲା ସେହି ବନ୍ଧୁକରେ ହିଁ ଏମଏମ କଲବର୍ଗୀ ଓ ଗୋବିନ୍ଦ ପାନସାରେଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଅପରପକ୍ଷେ, ଓ୍ଵାଘମାରେ ଏକ ଅଜଣା ଦକ୍ଷିଣପନ୍ଥୀ ସଂଗଠନ ସହ ଜଡିତ। ଏହି ସଗଠନର ଚେର ଦେଶର ୫ଟି ରାଜ୍ୟକୁ ବ୍ୟାପିଥିବା ଏସ୍‌ଆଇଟି କହିଛି। ଦକ୍ଷିଣପନ୍ଥୀ ବିରୋଧୀ ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ଏହି ସଂଗଠନ ଦ୍ୱାରା ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ଏହି ସଂଗଠନର ୬୦ ଜଣ ସଦସ୍ୟ ଥିବା ବେଳେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୋଆ, କର୍ଣ୍ଣାଟକ ଓ ଗୁଜରାଟରେ ଏହି ସଂଗଠନର ସଦସ୍ୟ ରହିଛନ୍ତି ବୋଲି ଏସ୍‌ଆଇଟି ତଦନ୍ତରୁ ଜଣାପଡ଼ିଛି। ଓ୍ଵାଘାମାରେ ଗିରଫ ହେବାପରେ ହିନ୍ଦୁ ଜାଗୃତି ମଞ୍ଚ, ଓ ସନାତନ ସଂସ୍ଥା ଏହି ହତ୍ୟାକାଣ୍ଡ ସହ େଆଦୌ ସଂପୃକ୍ତ ନଥିବା ସ୍ପଷ୍ଟ କରିଛନ୍ତି। ଏସ୍‌ଆଇଟି ଓ୍ଵାଘମାରେ ନିକଟରୁ ଜବତ କରିଥିବା ଏକ ଡାଏରିରୁ ଆଉ କିଛି ବ୍ୟକ୍ତି ଏହି ସଂଗଠନର ଟାର୍ଗେଟରେ ଥିବା ଜାଣିବାକୁ ପାଇଛି। ଏହି ତାଲିକାରେ ଥିଏଟର ଜଗତର ବିଶିଷ୍ଟ ବ୍ୟକ୍ତି ଗିରିଶ କନ୍ନଡ଼, ନିଦୁମାମିଦି ମଠ ମୁଖ୍ୟ ବୀରଭଦ୍ର ଚନ୍ନାମଲ୍ଲା ସ୍ୱାମୀ ଓ ତର୍କବାଦୀ ସି.ଏସ.ଦ୍ୱାରକାନାଥଙ୍କ ନାମ ମଧ୍ୟ ସାମିଲ ରହିଛି।

ସମ୍ବନ୍ଧିତ ଖବର