ବାହାନଗା ରେଳ ଦୁର୍ଘଟଣାରେ ବେସାହାରା ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବେ ଆଦାନୀ

ଭୁବନେଶ୍ୱର: ଦୁଇ ଦିନ ତଳେ ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଏବେ ବି ସମସ୍ତଙ୍କ ମନରେ ରହିଛି | କେହି ଭାଇକୁ ହରାଇଛି ତ କେହି ନିଜ ବାପାଙ୍କୁ ହରାଇଛି | କେହି ନିଜ ପରିବାରର ସମ୍ପର୍କୀୟମାନଙ୍କୁ ହରାଇଛି ତ କେହି ପୁଣି ଏବେ ବି ମେଡିକାଲରୁ ମେଡିକାଲ ବୁଲି ନିଜ ବନ୍ଧୁ-ପରିଜନଙ୍କୁ ଖୋଜୁଛି | ଦୁର୍ଘଟଣା ପରେ ସରକାରଙ୍କ ବ୍ୟତୀତ ଅନେକ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ତେବେ ଦୁର୍ଘଟଣା ପରେ ପରିଚୟ ଖୋଜିବା ହେଉ ବା ସାହାଯ୍ୟ ଯୋଗାଇଦେବା ହେଉ ବିଭିନ୍ନ କମ୍ପାନୀମାନେ ମଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି |

ଏହି କ୍ରମରେ ଏବେ ଆଦାନୀ ଗ୍ରୁପର ମୁଖ୍ୟ ତଥା ଶିଳ୍ପପତି ଗୌତମ ଆଦାନୀ ଆଗେଇ ଆସିଛନ୍ତି | ରେଳ ଦୁର୍ଘଟଣାକୁ ନେଇ ଗୌତମ ଆଦାନୀ କହିଛନ୍ତି ଯେ ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଆମେ ସମସ୍ତେ ଗଭୀର ଭାବେ ମର୍ମାହତ । ଆମେ ନିଷ୍ପତ୍ତି ନେଇଛୁ ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଭିଭାବକମାନଙ୍କ ପିଲାମାନଙ୍କ ସ୍କୁଲ ପାଠପଢ଼ା ଖର୍ଚ୍ଚ ଆଦାନୀ ଗ୍ରୁପ୍ ବହନ କରିବ । ଏହି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇବା ଓ ପିଲାମାନଙ୍କୁ ଉତ୍ତମ ଭବିଷ୍ୟତ ପ୍ରଦାନ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ୱ । ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବା ସହ ଶିକ୍ଷା ଖର୍ଚ୍ଚକୁ ସେ ବହନ କରିବେ ବୋଲି ଆଦାନୀ କହିଛନ୍ତି ।

ସମ୍ବନ୍ଧିତ ଖବର