ସରକାରଙ୍କ ମାଗଣା ଟିକାକରଣ ଖର୍ଚ୍ଚ ୫୦ ହଜାର କୋଟି ଟପିବ

ନୂଆଦିଲ୍ଲୀ : କରୋନା ଟିକା ବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିପାରେ । ଏହି ପରିମାଣ ସରକାର ବଜେଟରେ ଘୋଷଣା କରିଥିବା ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦଠାରୁ ପ୍ରାୟ ୧୫ ହଜାର କୋଟି ଅଧିକ ବୋଲି ଜଣାପଡ଼ିଛି ।

ଏକ ଜାତୀୟ ସ୍ତରର ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ ଯୋଜନାରେ ଅତି କମରେ ୫୦ ହଜାର କୋଟି ଖର୍ଚ୍ଚ ହେବ । ତେବେ ଏହି ଖର୍ଚ୍ଚ କେବଳ ୧୮ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଦିଆଯାଉଥିବା ଟିକା ବାବଦରେ ଖର୍ଚ୍ଚ ହେବ । ଏଥିରେ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ଟିକାକରଣ ବାବଦ ସମ୍ଭାବ୍ୟ ବ୍ୟୟକୁ ସାମିଲ କରାଯାଇନାହିଁ । ଏହାକୁ ମିଶାଇଲେ ଏହି ବୟଭାର ଆହୁରି ବଢିବାର ସମ୍ଭାବନା ରହିଛି । ତେବେ ଏହି ବ୍ୟୟଭାର ପାଇଁ ସରକାରଙ୍କୁ ଖୋଲା ବଜାରରୁ ଋଣ କରିବାକୁ ପଡ଼ିନପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଦେଶରେ ମାଗଣା ଟିକାକରଣ ପାଇଁ ତିନୋଟ ଟିକାକୁ ବ୍ୟବହାର କରାଯାଉଛି । ସେଗୁଡ଼ିକ ହେଉଛି କୋଭାକ୍ସିନ, କୋଭିସିଲ୍ଡ ଓ ଋଷିଆ ଟିକା ସ୍ପୁଟନିକ ।  ଗତ ଅକ୍ଟୋବର ୨୧ ତାରିଖରେ ଭାରତ ୧୦୦ କୋଟି କୋଭିଡ୍ ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଥିଲା ।

ସମ୍ବନ୍ଧିତ ଖବର