ସରକାରଙ୍କ ପରାମର୍ଶ, ଏବେ ଘରେ ମାସ୍କ ପିନ୍ଧିବା ସମୟ

ଜଣେ ବ୍ୟକ୍ତି ସାମାଜିକ ଦୂରତ୍ବ ଅବଲମ୍ବନ ନକଲେ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଯେଭଳି ବଢ଼ୁଛି ସେଥିପାଇଁ ସରକାର ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ସହ ଅନ୍ୟାନ୍ୟ କୋଭିଡ୍‌ ନିୟମାବଳିକୁ ପୂର୍ବାପେକ୍ଷା ଆହୁରି କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କହିଛନ୍ତି, ଏବେ କେବଳ ବାହାରେ ନୁହେଁ, ଘରେ ବି ମାସ୍କ ପିନ୍ଧିବାର ସମୟ ଆସିଛି। ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପୌଲ୍‌ ଗଣମାଧ୍ୟମକୁ କହିଛନ୍ତି, ଏବେ ଘରେ ମାସ୍କ ପିନ୍ଧିବାର ବେଳ। ଘରକୁ ବାହାରୁ କୌଣସି ଲୋକଙ୍କୁ ଆମନ୍ତ୍ରଣ କରନ୍ତୁନି ଏବଂ ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁନି ବୋଲି ଡାକ୍ତର ପୌଲ୍‌ କହିଛନ୍ତି।

ଯଦି ପରିବାରରେ କେହି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ଉକ୍ତ ସଂକ୍ରମିତ ବ୍ୟକ୍ତି ଘରେ ରହିଲେ ବି ମାସ୍କ ପିନ୍ଧିବା ଜରୁରୀ। ସେହିପରି ପରିବାରର ସମସ୍ତ ସଦସ୍ୟ ଘରେ ଏକାଠି ବସିଥିବାବେଳେ ମାସ୍କ ପିନ୍ଧିବା ଜରୁରୀ। ସଂକ୍ରମିତ ବ୍ୟକ୍ତି ତୁରନ୍ତ ଏକାନ୍ତବାସରେ ରହିବା‌ ଉଚିତ୍‌। ସରକାର କହିଛନ୍ତି, ଯଦି କରୋନାର ଲକ୍ଷଣ ଅଛି ତେ‌ବେ ଟେଷ୍ଟ୍‌ ରିପୋର୍ଟ ଆସିବା‌ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁନି। ତୁରନ୍ତ ଏକାନ୍ତବାସ‌ରେ ରହିବା ପାଇଁ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲ୍‌ ମାସ୍କ ନିପିନ୍ଧିବାର ବିପଦ ସଂକ୍ରାନ୍ତ‌ରେ ଗୁରୁତ୍ବାରୋପ କରିଛନ୍ତି। ଅଗ୍ରୱାଲ୍‌ କହିଛନ୍ତି, ୨ ଜଣ ବ୍ୟକ୍ତି ମାସ୍କ ନପିନ୍ଧିଲେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକଲେ ସଂକ୍ରମିତ ହେବାର ବିପଦ ୯୦ ପ୍ରତିଶତ ରହିଛି। ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବା‌ରୋପ କରି ଲବ ଅଗ୍ରୱାଲ୍‌ କହିଛନ୍ତି, ଯଦି ସାମାଜିକ ଦୂରତ୍ବ ଅବଲମ୍ବନ କରା ନଯାଏ ତେବେ ଜଣେ ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ।

ଲୋକମାନେ ଅଯଥା ଭୟ ନକରିବାପାଇଁ ସରକାର ଅନୁରୋଧ କରିଛନ୍ତି। ଅନାବଶ୍ୟକ ଭାବେ ଭୟ କରିବା ଦ୍ବାରା ସ୍ଥିତି ଅଧିକ ଖରାପ୍‌ ହେଉଛି। ଭୟରେ ଲୋକେ ଦରକାର ନଥିଲେ ବି ହସ୍ପିଟାଲ୍‌ରେ ଆଡ୍‌ମିଟ୍‌ ହୋଇଯାଉଛନ୍ତି ଏବଂ ବେଡ୍‌ ଅକ୍ତିଆର କରିନେଉଛନ୍ତି। ତେବେ କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ହସ୍ପିଟାଲ୍‌ରେ ଆଡ୍‌ମିଟ୍‌ ହେବାପାଇଁ ସରକାର ଅନୁରୋଧ କରିଛନ୍ତି। ଅକ୍ସିଜେନ୍‌ ଚାହିଦା ବଢ଼ୁଥିବାବେଳେ ସରକାର ଏନେଇ ମଧ୍ୟ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର କହିଛନ୍ତି, ଦେଶରେ ପ୍ରବଳ ମାତ୍ରାରେ ଅକ୍ସିଜେନ୍‌ ରହିଛି। କେବଳ ଏହାର ପରିବହନରେ ହିଁ ସମସ୍ୟା ରହିଛି। ଅକ୍ସିଜେନ୍‌ ଅଭାବ ନେଇ ଭୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର