ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ଦେଶର ପ୍ରଥମ ମୃତ୍ୟୁକୁ ସ୍ପଷ୍ଟ କଲା ସରକାରୀ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମନାକୁ ଆସିଛି । ମାର୍ଚ୍ଚ ୧୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତି ଆନାଫିଲେକ୍ସିସ ଯ଼ୋଗୁଁ ମୃତ୍ୟୁବରଣ କରିଥିବା ଏକ ସରକାରୀ ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି । ଡାକ୍ତରି ଭାଷାରେ ଆନାଫିଲେକ୍ସିସର ଅର୍ଥ ହେଉଛି ଗୁରୁତର ଆଲର୍ଜି ଜନିତ ମୃତ୍ୟୁ ।

ଦେଶରେ କରୋନା ଟିକାକରଣଜନିତ ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ ଉପରେ ନଜର ରଖିବାକୁ ସରକାରଙ୍କ ପକ୍ଷରୁ ଗଠିତ ସିରିୟସ ଆଡଭର୍ସ ଇଫେକ୍ସ ଫଲୋଇଙ୍ଗ ଇମ୍ୟୁନାଇଜେସନ (ଏଇଏଫଆଇ) କମିଟି ପକ୍ଷରୁ ୩ଟି ଅତି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ମାମଲାକୁ ବିଚାରକୁ ନିଆଯ଼ାଇଥିଲା । ଅନ୍ୟ ଦୁଇ ଜଣ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେମାନ ଭଲ ହୋଇଯ଼ାଇଥିଲେ ।

ଟିକା ନେବା ପରେ ଦେଶରେ ମୃତ୍ୟୁବରଣ କରିଥିବା ୩୧ଟି ମାମଲାକୁ କମିଟି ପକ୍ଷରୁ ଯାଞ୍ଚ କରାଯାଇଥିଲା । ସେଗୁଡ଼ିକ ମଧ୍ୟରୁ ୧୮ଟି ମୃତ୍ୟୁ ସହ ଟିକାର କୌଣସି ସମ୍ପର୍କ ନଥିଲା । ଅର୍ଥାତ ଟିକା ନେବା ପରେ ସଂଯୋଗବଶତଃ ଅନ୍ୟ କାରଣରୁ ସେମାନେ ମୃତ୍ୟୁବରଣ କରିଥିଲେ । ୭ ମୃତ୍ୟୁ ମାମଲାର କାରଣ ଅସ୍ପଷ୍ଟ ରହିଥିବାବେଳେ ୨ ଟି ମାମଲାକୁ କୌଣସି ବର୍ଗରେ ସାମିଲ କରାଯାଇନାହିଁ । ଅର୍ଥାତ ଏହି ଦୁଇଟି ମୃତ୍ୟୁମାମଲା ସମ୍ପର୍କରେ ତଦନ୍ତ କରାଯାଇଥିଲେ ବି ଏକ ନିର୍ଦ୍ଦିଷ୍ଟ ବର୍ଗରେ ସାମିଲ କରିବାକୁ ଯଥେଷ୍ଟ ତଥ୍ୟ ନାହିଁ ।

ସମ୍ବନ୍ଧିତ ଖବର