କେବଳ ସରକାରୀ ନୁହେଁ, ଏଣିକି ଦେଶର ସମସ୍ତ ପଞ୍ଜିକୃତ ଡାକ୍ତର କୋଭିଡ୍ ଟେଷ୍ଟ ଲାଗି ସୁପାରିସ କରିପାରିବେ : କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର  ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ,ଏଣିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ମଧ୍ୟ କରୋନା ଟେଷ୍ଟ ହୋଇପାରିବ। ଆଗରୁ କେବଳ ସରକାରୀ ଡାକ୍ତରଙ୍କ ପରାମର୍ଶ ଆଧାରରେ କୋଡିଡ୍ ଟେଷ୍ଟ ହେଉଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଦେଶର ସମସ୍ତ ପଞ୍ଜିକୃତ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆଧାରରେ କୋଭିଡ୍ ଟେଷ୍ଟ ହେବ, ଡାକ୍ତର ସରକାରୀ‌ ସେବାରେ ଥାଆନ୍ତୁ ବା ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁ୍ଥାଆନ୍ତୁ।  ସନ୍ଦିଗ୍ଧ କୋଭିଡ-୧୯ ରୋଗୀଙ୍କ ପରୀକ୍ଷଣରେ ବିଳମ୍ବ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ତେଣୁ ରୋଗୀଙ୍କ ପରୀକ୍ଷଣରେ ଯେମିତି କୌଣସି ପ୍ରକାର ବିଳମ୍ବ ନହୁଏ ସେଥିପାଇଁ କେନ୍ଦ୍ର ସମସ୍ତ ଯୋଗ୍ୟ ଏବଂ ପଞ୍ଜିକୃତ ଚିକିତ୍ସକଙ୍କୁ କରୋନାଭାଇରସ୍‌ ପରୀକ୍ଷା ଲାଗି ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଦେଶରେ ୧୦୬୫ଟି କୋଭିଡ-୧୯ ପରୀକ୍ଷା ଲ୍ୟାବ ଅଛି। ଏଥିମଧ୍ୟରୁ ୭୬୮ଟି ଲ୍ୟାବ୍‌ ପବ୍ଲିକ୍‌ ସେକ୍ଟରରେ ରହିଥିବା ବେଳେ ୨୯୭ଟି ଘରୋଇ ଲ୍ୟାବ ରହିଛି। ସଂକ୍ରମିତ ଥିବା ୨,୨୯,୫୮୮ ଜଣ କୋଭିଡ-୧୯ର ପରୀକ୍ଷା କରାଇ ସାରିଛନ୍ତି।

ଦେଶରେ କରୋନାଭାଇରସ୍‌ ପରୀକ୍ଷଣକୁ ବୃଦ୍ଧି କରି ମାମଲା ହ୍ରାସ କରିବା ଲାଗି ଅନେକ ପଦକ୍ଷେପ ନିଆଯାଉଛି। ଭାରତରେ ଖୁବ୍‌ଶୀଘ୍ର କୋଭିଡ-୧୯ ପରୀକ୍ଷଣ ଏକ କୋଟିରେ ପହଞ୍ଚିବ ବୋଲି ଗୁରୁବାର ସରକାର କହିଛନ୍ତି।

ଭାରତରେ କୋଭିଡ-୧୯ ମାମଲା ଗୁରୁବାର ୬୦,୦୦୦ରେ ପହଞ୍ଚିଛି। ବର୍ତ୍ତମାନ ସମୁଦାୟ କୋଭିଡ-୧୯ ମାମଲା ୬୦୪,୬୪୧ରେ ପହଞ୍ଚିଥିବା ବେଳେ ୨୨୬,୯୪୭ଟି ସକ୍ରିୟ ମାମଲା ରହିଛି। ଏଥିସହିତ ୩୫୯,୮୬୦ଜଣ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ କରୋନାରେ ୪୩୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ୧୭,୮୩୪ରେ ପହଞ୍ଚି ଯାଇଛି।

ସମ୍ବନ୍ଧିତ ଖବର