୩ ହଜାର କୋଟି ଟଙ୍କାର ଶତ୍ରୁ ସେୟାର୍‌ ବିକ୍ରୟ ପାଇଁ ଉପାୟ ଅନୁମୋଦନ କଲେ ସରକାର

ନୂଆଦିଲ୍ଲୀ: ଶତ୍ରୁ ସେୟାର୍‌ ବିକ୍ରୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାପତିତ୍ୱରେ କେନ୍ଦ୍ର କ୍ୟାବିନେଟ୍‌ ଏକ ମେକାନିଜମ୍‌ ଉପାୟକୁ ଅନୁମୋଦନ କରିଛି। ବର୍ତ୍ତମାନ ଏହି ସେୟାରଗୁଡ଼ିକର ମୂଲ୍ୟ ପ୍ରାୟ ୩ ହଜାର କୋଟି ଟଙ୍କା ହେବ।

କଷ୍ଟଡିଆନ୍‌ ଅଫ୍‌ ଏନିମି ପ୍ରପର୍ଟି ଅଫ୍‌ ଇଣ୍ଡିଆ (ସିଇପିଆଇ) ହେପାଜାତରେ ୨୦, ୩୨୩ ଜଣ ସେୟାର୍‌ହୋଲ୍‌ଡର୍‌ଙ୍କର ୯୯୬ଟି କମ୍ପାନିର ସମୁଦାୟ ୬, ୫୦, ୭୫, ୮୭୭ଟି ସେୟାର୍‌ ରହିଛି।

କେନ୍ଦ୍ର କ୍ୟାବିନେଟ୍‌ ଦ୍ୱାରା ଗୃହୀତ ନିଷ୍ପତ୍ତି ଦଶନ୍ଧି ଦଶନ୍ଧି ଧରି ନିଷ୍କ୍ରିୟ ହୋଇ ପଡ଼ିଥିବା ଚଳନ୍ତି ଶତ୍ରୁ ସମ୍ପତ୍ତିକୁ ନଗଦ ଟଙ୍କାରେ ପରିଣତ କରିବାକୁ ବାଟ ଫିଟାଇବ। ଏହି ଅର୍ଥ ବିକାଶ ଓ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ ଲଗାଯିବ ବୋଲି ଏକ ବିବୃତିରେ କୁହାଯାଇଛି।

ଅର୍ଥମନ୍ତ୍ରାଳୟ ଚଳାଉଥିବା ସରକାରୀ ଆକାଉଣ୍ଟ୍‌ରେ ସେଲ୍‌ ପ୍ରୋସିଡ୍‌ଗୁଡ଼ିକ ଡିସ୍‌ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ପ୍ରୋସିଡ୍‌ସ୍‌ ଭାବେ ଜମା କରାଯିବ। ଏହି ସେୟାର୍‌ଗୁଡ଼ିକ ବିକ୍ରୟ କରିବାକୁ ଡିପାର୍ଟମେଣ୍ଟ୍‌ ଅଫ୍‌ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ଆଣ୍ଡ୍‌ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ୍‌ଙ୍କୁ କ୍ଷମତା ଦିଆଯାଇଛି।

ଏହି କମ୍ପାନିଗୁଡ଼ିକ ମଧ୍ୟରୁ ୫୮୮ଟି ସକ୍ରିୟ ଥିବା ବେଳେ ୧୩୯ଟି ନିଷ୍କ୍ରିୟ ଅଛନ୍ତି।

ଏହି ସେୟାର୍‌ଗୁଡ଼ିକ ବିକ୍ରୟ କରିବା ନିମନ୍ତେ ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା ଏବଂ ସଡ଼କ ପରିବହନ, ରାଜପଥ ଏବଂ ଗୃହମନ୍ତ୍ରୀଙ୍କୁ ନେଇ ଗଠିତ ଅଲ୍‌ଟର୍‌ନେଟିଭ୍‌ ମେକାନିଜମ୍‌ର (ଏଏମ୍‌) ସ୍ୱୀକୃତି ପାଇଲେ ବିକ୍ରୟ କରାଯିବ।

୧୯୬୮ ମସିହା ‘ଏନିମି ପ୍ରପର୍ଟି’ ଆଇନ୍‌ ଅନୁସାରେ, ଜଣେ ଶତ୍ରୁ ଅଧିକାରଭୁକ୍ତ ବା ଶତ୍ରୁ ପକ୍ଷରୁ ପରିଚାଳିତ, ଶତ୍ରୁ ପ୍ରଜା ବା ଶତ୍ରୁ ଅନୁଷ୍ଠାନର ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବା ‘ଏନିମି ପ୍ରପର୍ଟି’ କୁହାଯାଏ। ସାଧାରଣତଃ ଏହି ଭାରତୀୟ ସମ୍ପତ୍ତିର ଅଧିକାରୀ ପାକିସ୍ତାନ ନାଗରିକଙ୍କ ଅଧିକାରଭୁକ୍ତ ଥାଏ।

ସମ୍ବନ୍ଧିତ ଖବର