ଦେଶରେ ମାସକୁ ଆଉ ୧୦ ଲକ୍ଷ ସିସି ରାମଡେସିଭିର ଇଂଜେକ୍ସନ ଉତ୍ପାଦନକୁ କେନ୍ଦ୍ର ସରକାରଙ୍କ ମଂଜୁରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାମଡେସିଭିର ଔଷଧ ଓ ଇଂଜେକ୍ସନର  ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ଦେଶରେ ମାସକୁ ଅତିରିକ୍ତ ୧୦ ଲକ୍ଷ ସିସି ରାମଡେସିଭିର ଇଂଜେକ୍ସନ ଉତ୍ପାଦନ ପାଇଁ ସରକାର ଫାଷ୍ଟଟ୍ରାକ ମୋଡରେ ୬ଟି ଉତ୍ପାଦନକାରୀ କମ୍ପାନିକୁ ଅନୁମତି ଦେଇଛନ୍ତି ।

ଗତ ୧୨ ଓ ୧୩ ତାରିଖରେ କେନ୍ଦ୍ର ସରକାର ଓ ଉତ୍ପାଦନକାରୀ କମ୍ପାନିମାନଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଦେଶରେ ଏବେ ମାସକୁ ୩୮.୮୦ ଲକ୍ଷ ସିସି ରାମଡେସିଭିର ଇଂଜେକ୍ସନ ଉତ୍ପାଦନ ହେଉଛି । ଅତିରିକ୍ତ ୧୦ ଲକ୍ଷ ସିସି ଉତ୍ପାଦନ ହେବା ପରେ ଦେଶରେ ମାସକୁ ପ୍ରାୟ ୪୮.୮୦ ଲକ୍ଷ ସିସି ରାମଡେସିଭିର ଉତ୍ପାଦନ ହେବ । ଆଗକୁ ଆଉ ୩୦ ଲକ୍ଷ ସିସି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କିଛିଦିନ ତଳେ ସରକାର ଏହି ଇଂଜେକ୍ସନ ଓ ଏହାର ଆକ୍ଟିଭ ଫାର୍ମାସୁଟିକାଲ ଇନଗ୍ରେଡିଏନ୍ସ (ଏପିଆଇ) (ଏହି ଔଷଧ ପ୍ରସ୍ତୁତିରେ ଲାଗୁଥିବା କଞ୍ଚାମାଲ)ର ରପ୍ତାନି ଉପରେ କଟକଣା ଲଗାଇଥିଲେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ସେହିପରି ବଜାରରେ ଥିବା ଷ୍ଟକ ଯାଞ୍ଚ କରିବାକୁ  ଡ୍ରଗ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀ ଓ ଜମାଖୋରୀ ରୋକିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର