ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆସିଥିବା ଜାଲିଆତି ଅଭିଯୋଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କଂପାନିର ଆର୍ଥିକ କାରବାରର ପ୍ରାଥମିକ ସମୀକ୍ଷା ଆରମ୍ଭ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍ ଯେଉଁସବୁ ଆର୍ଥିକ ବିବରଣୀ ଏବଂ ନିୟାମକ ଦସ୍ତାବିଜ ଦାଖଲ କରିଛି ତାହାର ସମୀକ୍ଷା କରାଯାଉଛି।
ଗତକାଲିଠାରୁ ଏହି ସମୀକ୍ଷା ଆରମ୍ଭ ହୋଇଛି। ଭାରତୀୟ କଂପାନି ନିୟମର ଧାରା ୨୦୬ରେ ଥିବା ବ୍ୟବସ୍ଥାରେ କୌଣସି କଂପାନିର ବାଲାନ୍ସ ସିଟ୍, ହିସାବ ଖାତା କିମ୍ବା ଲେଜର ଭଳି ଆର୍ଥିକ ଦସ୍ତାବିଜ୍କୁ ସମୀକ୍ଷା କରିବାର ଅଧିକାର ସରକାରଙ୍କୁ ଦିଆଯାଇଛି। ସେହି ଧାରା ବଳରେ କର୍ପୋରେଟ୍ ବ୍ୟାପାର ମହାନିର୍ଦେଶାଳୟ ପକ୍ଷରୁ ଆଦାନିର ଆର୍ଥିକ କାରବାରର ସମୀକ୍ଷା କରାଯାଉଛି। କଂପାନିରେ କର୍ପୋରେଟ୍ ଗଭର୍ଣ୍ଣାସ୍ ନିୟମକୁ ଠିକ୍ ଭାବେ ପାଳନ କରାଯାଉଥିଲା ନା ନାହିଁ ତାହା ଜାଣିବାକୁ ମଧ୍ୟ ଉଦ୍ୟମ ହେଉଛି।
ଅନ୍ୟ ପକ୍ଷରେ, ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବାର ସପ୍ତାହେ ହୋଇଗଲାଣି, କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ। ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ସାତଟି କଂପାନିର ସେୟାର ମୂଲ୍ୟରେ ଲଗାତାର ଭାବେ ହ୍ରାସ ଘଟୁଥିବାରୁ ନିବେଶକ ମହଲରେ ଭୟ ସୃଷ୍ଟି ହୋଇଛି। ସାଧାରଣରେ ଏକ ଧାରଣା ମଧ୍ୟ ସୃଷ୍ଟି ହୋଇଛି ଯେ ଆଦାନି ଗ୍ରୁପ୍ର କିଛି ହୋଇଗଲେ ଏହାକୁ ଋଣ ଦେଇଥିବା ଭାରତୀୟ ବ୍ୟାଙ୍କଗୁଡ଼ିକ ବୁଡ଼ିଯିବାର ଆଶଙ୍କା ରହିଛି।
ଲୋକଙ୍କ ମନରେ ଥିବା ଏହି ଧାରଣାକୁ ଦୂର କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦାନି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଆମ ବ୍ୟାଙ୍କଗୁଡ଼ିକ ବେଶ ଦୃଢ଼ ସ୍ଥିତିରେ ରହିଥିବା ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କହିଛି ଯେ ବ୍ୟାଙ୍କ ବ୍ୟବସ୍ଥା ବେଶ୍ ସୁଦୃଢ଼ ରହିଛି। ଆଦାନି ଘଟଣାର ତଦନ୍ତ କରାଇବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ସରକାର କିନ୍ତୁ ସେଥିପ୍ରତି ଧ୍ୟାନ ଦେବା ବଦଳରେ ହାଲୁକା ମନୋଭାବ ପ୍ରଦର୍ଶନ କରିଛନ୍ତି।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଦେଶର ବଜାର ଉତ୍ତମ ନିୟନ୍ତ୍ରଣ ଭିତରେ ରହିଛି। ଶିଳ୍ପପତି ଗୌତମ ଆଦାନିଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ନିବେଶକମାନଙ୍କ ମନୋବଳକୁ ପ୍ରଭାବିତ କରିବ ନାହିଁ। ଗୋଟିଏ ଘଟଣାକୁ ନେଇ ସାରା ବିଶ୍ବରେ ଯେତେ ଆଲୋଚନା ହେଲେ ବି ତାହାକୁ ଭାରତୀୟ ଆର୍ଥିକ ବଜାରର ପ୍ରତିଫଳନ କୁହାଯାଇପାରିବନି ବୋଲି ସେ କହିଛନ୍ତି। ଆଦାନିର ବିଭିନ୍ନ କଂପାନିକୁ କିଏ କେତେ ଟଙ୍କା ଦେଇଛନ୍ତି ସେବିଷୟରେ ଆର୍ଥିକ ଅନୁଷ୍ଠାନଗୁଡ଼ିକ ବିଶଦ ବିବରଣୀ ପ୍ରଦାନ କରିଛନ୍ତି। ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟରେ ହୋଇଥିବା ହ୍ରାସ ଦ୍ବାରା ସେମାନେ ବିଶେଷ ପ୍ରଭାବତ ହେବେ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଆଦାନି ଗ୍ରୁପ୍ର ନାମ ନନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ଭାରତୀୟ ବ୍ୟାଙ୍କ ଶିଳ୍ପ ବେଶ ଦୃଢ଼ ଥିବା କୁହାଯାଇଛି। ପୁଞ୍ଜି ସ୍ବଚ୍ଛଳତା ହାର, ସମ୍ପତ୍ତିର ଗୁଣବତ୍ତା, ପ୍ରୋଭିଜନିଂ ଓ ଲାଭ ଆଦି ମାନଦଣ୍ଡ ବେଶ ଭଲ ସ୍ଥିତିରେ ରହିଛି। ବଡ଼ ଧରଣର ଋଣକୁ ନେଇ ରିଜର୍ଭ ବ୍ୟାଙ୍କର ରହିଥିବା ଗାଇଡ୍ଲାଇନ୍କୁ ମଧ୍ୟ ବ୍ୟାଙ୍କଗୁଡ଼ିକ ଠିକ୍ ଭାବେ ପାଳନ କରୁଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି। ଭାରତୀୟ ବ୍ୟାଙ୍କ ଶିଳ୍ପରେ ସ୍ଥିରତା ବଜାୟ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ତୀକ୍ଷ୍ଣ ନଜର ରଖିଛି ଏବଂ ସବୁ କିଛିକୁ ନିରୀକ୍ଷଣ କରୁଥିବା କହିଛି।
ଆଦାନି ଗ୍ରୁପ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ସଚିବ ଟି ଭି ସୋମନାଥ ଆଦାନି ଘଟଣାକୁ ‘ଚା କପ୍ରେ ଝଡ଼’ ବୋଲି କହିଛନ୍ତି। ସେ କହିଲେ, ଆଦାନି କଂପାନିଗୁଡ଼ିକର ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ଥିବା ପାଣ୍ଠି ଜମାକାରୀ ହୁଅନ୍ତୁ କିମ୍ବା ବୀମାଧାରକ ଓ ନିବେଶକ କାହା ପାଇଁ ଚିନ୍ତାର କାରଣ ନୁହେଁ। ଆଦାନି ଗ୍ରୁପ୍ର କଂପାନିଗୁଡ଼ିକରେ ଏଲ୍ଆଇସି ଓ ଷ୍ଟେଟ୍ ବ୍ୟାଙ୍କର ନଗଣ୍ୟ ଟଙ୍କା ରହିଛି। ନିବେଶକମାନଙ୍କ ଲାଗି ଚିନ୍ତା କରିବା ଭଳି ସ୍ତରଠାରୁ ବହୁ ଦୂରରେ ଏହି ନିବେଶ ରହିଥିବା ସେ କହିଛନ୍ତି।