ରାଫେଲ୍‌ ବିବାଦ: ସରକାର କହିଲେ, ସିଏଜି ରିପୋର୍ଟ ନେଇ ସୁପ୍ରିମ୍‌କୋର୍ଟଙ୍କୁ ‘ଭୁଲ ତଥ୍ୟ ଦିଆଯାଇନି’, ସଂଶୋଧନ ଲାଗି ହୋଇଛି ଆବେଦନ

ନୂଆଦିଲ୍ଲୀ: ରଫେଲ୍‌ ବିମାନ କ୍ରୟ ଚୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବ୍ୟାକ୍‌ଫୁଟ୍‌ରେ ଥିବା କଂଗ୍ରେସ ଅଭିଯୋଗ ଆଣିଛି କି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଭୁଲ ବାଟରେ ପରିଚାଳିତ କରିଛନ୍ତି। ରାଫେଲ୍‌ ବିମାନର ଦରକୁ ସିଏଜି ସମୀକ୍ଷା କରିଥିବା ପ୍ରସଙ୍ଗରେ ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ।

ତେଣେ କେନ୍ଦ୍ର ସରକାର ଶନିବାର ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଜରିଆରେ ରାୟରେ ଥିବା ତଥ୍ୟଗତ ତ୍ରୁଟି ସଂଶୋଧନ ଲାଗି ନିବେଦନ କରିଛନ୍ତି। ଏହି ଆବେଦନରେ ଦର୍ଶାଯାଇଛି କି ରାଫେଲ୍‌ ବିମାନ ଦର ସମୀକ୍ଷା ନେଇ ସିଏଜି ରିପୋର୍ଟ ସଂପର୍କିତ ସୂଚନାରେ ‘ତଥ୍ୟାତ୍ମକ ତ୍ରୁଟି’ ରହିଯାଇଛି। ଏହାକୁ ସୁଧାରିବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି।

ସର୍ବୋଚ୍ଚ ଅଦାଲତଙ୍କ ରାଫେଲ ରାୟର ୨୧ ପୃଷ୍ଠାରେ ଥିବା ୨୫ ନମ୍ବର ପଏଣ୍ଟରେ ଉଲ୍ଲେଖ କରାଯାଇଛି କି ରାଫେଲ ଦର ସଂପର୍କିତ ସବିଶେଷ ତଥ୍ୟ ସିଏଜିଙ୍କୁ ଦିଆଯାଇଛି ଓ ସିଏଜିଙ୍କ ଏ ସଂପର୍କିତ ରିପୋର୍ଟ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ସମୀକ୍ଷା କରିସାରିଛନ୍ତି।

ତେବେ ସରକାରଙ୍କ ଅନୁସାରେ,ସୁପ୍ରିମ୍‌କୋର୍ଟଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରେ ଉଲ୍ଲେଖ କରାଯାଇଥିଲା କି ‘ରାଫେଲ୍‌ ସଂପର୍କିତ ସିଏଜିଙ୍କ ରିପୋର୍ଟ ପିଏସି ଦ୍ୱାରା ସମୀକ୍ଷା କରାଯିବ।’ ମାତ୍ର ଭୁଲ୍‌ କ୍ରମେ ରାୟରେ ଏହା ‘ପିଏଏସି ଦ୍ୱାରା ସମୀକ୍ଷା କରାଯାଇଛି’ ବୋଲି ଉଲ୍ଲେଖ ହୋଇଛି।

ସୁପ୍ରିମକୋର୍ଟଙ୍କ ରାୟର ଏହି ଅଂଶକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। ସରକାର ସୁପ୍ରିମ୍‌କୋର୍ଟଙ୍କୁ ଭୁଲବାଟରେ ଚାଳିତ କରିଛନ୍ତି ବୋଲି ଅଭିଯୋଗ ଆଣିଥିଲା।

ସରକାରଙ୍କ ପକ୍ଷରୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଛି ।ସରକାର ସୁପ୍ରିମ୍‌କୋର୍ଟଙ୍କୁ ଭୁଲ୍‌ ରାସ୍ତାରେ ପରିଚାଳିତ କରିନାହାନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାୟରେ ଉଲ୍ଲେଖ ଥିବା କଥା ଏକ ‘ଟାଇପିଂ ଏରର୍‌’ ବା ଟାଇପ୍‌ ହେବା ସମୟର ତ୍ରୁଟି ଯୋଗୁଁ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର