ସରକାରୀ କର୍ମଚାରୀ ନିର୍ବାଚନ କମିସନର ହୋଇପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇପାରିବେ ନାହିଁ। ଏଥିପାଇଁ ସ୍ବାଧୀନ ବ୍ୟକ୍ତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିସନଙ୍କ ସ୍ବାଧୀନତାରେ ସାଲିସ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଗୋଆରେ ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିସନର ପଦରେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାରୁ ଏ ନେଇ ସୁପ୍ରିମ୍‌ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରକୁ ଭର୍ତ୍ସନା କରି ଏଭଳି ରାୟ ଦେଇଛନ୍ତି। ଗୋଆ ସରକାର ରାଜ୍ୟର ଆଇନ ସଚିବଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରିବା ସମ୍ବିଧାନକୁ ଉପହାସ କରିବା ସଦୃଶ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍‌‌ ରୋହିନଟନ୍‌ ନରିମାନଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି, ନିର୍ବାଚନ କମିସନର ସ୍ବାଧୀନ ବ୍ୟକ୍ତି ହେବା ଉଚିତ। କୌଣସି ରାଜ୍ୟ ସରକାରୀ ଅଧିକାରୀଙ୍କୁ ନିର୍ବାଚନ କମିସନର ଭଳି ପଦରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଗୋଆରେ ଏପ୍ରିଲ ୩୦ ପୂର୍ବରୁ ପୌର ନିର୍ବା‌ଚନ ଶେଷ କରିବାକୁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର