ସରକାର-ଚାଷୀ ସଂଗଠନ ଆଲୋଚନା ଆଜି: ୧୫୬୧ ଫୋନ୍‌ ଟାଵାର ଭାଙ୍ଗିଦେଲେ

ପଞ୍ଜାବରେ ମୋବାଇଲ୍ ସେବା, ବିଜୁଳି ସଂଯୋଗ ବ୍ୟାହତ

ଚଣ୍ଡୀଗଡ଼: ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଥମିବାର ନାଁ ଧରୁନଥିବା ବେଳେ ଆସନ୍ତାକାଲି (ବୁଧବାର) ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ହେବାକୁ ଥିବା ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଚାଷୀ ଆନ୍ଦୋଳନ ଏବେ ପଂଜାବରେ ଉଗ୍ର ରୂପ ନେଇଛି ଏବଂ ରାଜ୍ୟରେ ପ୍ରାୟ ୧୫୬୧ଟି ଫୋନ୍‌ ଟାଵାରକୁ ଚାଷୀମାନେ ଭଙ୍ଗାରୁଜା କରିଛନ୍ତି। ଏଥିଯୋଗୁଁ ରାଜ୍ୟରେ ମୋବାଇଲ୍ ଫୋନ୍‌ ସେବା ସାଂଘାତିକ ଭାବେ ବ୍ୟାହତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ସୋମବାର ସୁଦ୍ଧା ୧୪୬ଟି ଟାଵାରକୁ ଆନ୍ଦୋଳନରତ କୃଷକମାନେ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିବା ବେଳେ ବାକି ସବୁ ଟାଵାର ଭଙ୍ଗାରୁଜା ଯୋଗୁଁ ଅକାମୀପ୍ରାୟ ହୋଇଯାଇଛି ବୋଲି ଜଣାଯାଇଛି।

ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ସୋମବାର ଏପରି ଟାଵାର ଭଙ୍ଗାରୁଜା ସହ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। କୋଭିଡ୍‌ ଯୋଗୁଁ ରାଜ୍ୟରେ ପରୀକ୍ଷା ଓ ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ଫୋନ୍‌ ସେବା ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ସେଥିରେ ବ୍ୟାଘାତ ଘଟିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏଥି ସହିତ ଏପରି ଗୁଣ୍ଡାଗର୍ଦ୍ଦି ଓ ହିଂସାତ୍ମକ କାର୍ଯ୍ୟ ଯୋଗୁଁ ଘରେ ରହି କାମ କରୁଥିବା ସୂଚନା ପ୍ରଯୁକ୍ତି ବୃତ୍ତିଧାରୀଙ୍କ କାର୍ଯ୍ୟରେ ମଧ୍ୟ ଅସୁବିଧା ହେବା ସହ ଅନ୍‌ଲାଇନ୍‌ରେ ନିର୍ଭର କରୁଥିବା ବ୍ୟାକିଂ ସେବା ମଧ୍ୟ ଘୋର ପ୍ରଭାବିତ ହୋଇଛି। ରାଜ୍ୟରେ କୌଣସି ମତେ ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ କି ସରକାରୀ ବା ଘରୋଇ ସମ୍ପତ୍ତି ଏପରି ନଷ୍ଟ ହେବାକୁ ବରଦାସ୍ତ କରାଯିବ ନାହିଁ ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର