ସରକାର-ଚାଷୀ ଆଲୋଚନା: ୨ଟି ପ୍ରସଙ୍ଗରେ ସହମତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବଂ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଆଜି ହୋଇଥିବା ଆଲୋଚନାରେ କିଛି ଅଗ୍ରଗତି ହୋଇଛି। ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବା ବେଳେ କୃଷି ଆଇନ୍ ଏବଂ ଏମ୍‌ଏସ୍‌ପି ନେଇ ଅଚଳାବସ୍ଥା ଜାରି ରହିଛି। ତେଣୁ ଏହା ଉପରେ ଅଧିକ ଆଲୋଚନା ପାଇଁ ଆସନ୍ତା ମାସ ୪ ତାରିଖରେ ପୁଣି ବୈଠକ ବସିବ।

ଯେଉଁ ଦୁଇଟି ପ୍ରସଙ୍ଗରେ‌ ସହମତି ହୋଇଛି ତାହା ହେଲା ନଡ଼ାପାଳ ଜାଳିବାକୁ ନେଇ ଦଣ୍ଡ ବ୍ୟବସ୍ଥା ଏବଂ ବିଦ୍ୟୁତ ସଂଶୋଧନ ବିଲ୍। ଏଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସରକାର ରାଜି ହୋଇଛନ୍ତି। ତେବେ ନୂଆ କୃଷକ ଆଇନ ଏବଂ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ‌୍ଏସ୍‌ପି ନେଇ ଅଚଳାବସ୍ଥା ଜାରି ରହିଛି। ଚାଷୀ ନେତାମାନେ ନୂଆ କୃଷି ଆଇନ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଅଟଳ ରହିଥିଲେ। ନୂଆ ଆଇନରେ ସଂଶୋଧନ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ସରକାର ମଧ୍ୟ ଏହାର ଉଚ୍ଛେଦ ସମ୍ଭବ ନୁହେଁ ବୋଲି ଜଣାଇ ଦେଇଥିଲେ। ତେବେ ଚାଷୀଙ୍କ ଏହି ଦାବି ସଂପର୍କରେ ବିଚାର କରିବାକୁ ଏକ କମିଟି ଗଠନ କରାଯିବ ବୋଲି ସରକାର କହିଛନ୍ତି। ଆସନ୍ତା ୪ ତାରିଖ ବୈଠକରେ ଏହା ଉପରେ ଆଲୋଚନା ହେବ।

ଆଜି ଆଲୋଚନାରେ ଚାଷୀମାନେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଏହା ସହିତ ମଧ୍ୟପ୍ରଦେଶରେ ଚାଷୀମାନେ କିଭିଳି ଦଲାଲ୍‌ ଓ ବ୍ୟବସାୟୀଙ୍କ ଦ୍ବାରା ବ୍ୟାପକ ଠକେଇର ଶିକାର ହୋଇଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ରଖିଥିଲେ। ଏହାର ତଦନ୍ତ କରି ତତ୍କାଳ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏକ ଚାଷୀଙ୍କ ଉତ୍ପାଦ କ୍ରୟ ଯେଭଳି ସୁରୁଖୁରୁରେ ଏବଂ ସ୍ବଚ୍ଛ ନୀତିରେ ସଂପନ୍ନ ହେବ ତାହାର ତଦାରଖ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ ବୋଲି ସରକାର ଚାଷୀଙ୍କୁ ଆଶ୍ବାସନା ଦେଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ମଧ୍ୟ ଚାଷୀମାନେ ସେମାନଙ୍କ ଦାବିକୁ ଉପସ୍ଥାପନ କରିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟତମ ସାଲିସ୍‌ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସରକାର କଥାବାର୍ତ୍ତା ମାଧ୍ୟମରେ ମାମଲାର ସମାଧାନ ଚାହୁଛନ୍ତି ଏବଂ ଏଥିରେ ଚାଷୀ ନେତାମାନେ ଜିଦ୍‌ ଛାଡ଼ି ସହଯୋଗ କରିବା ଉଚିତ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି।

ସମ୍ବନ୍ଧିତ ଖବର