ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ କୌଣସି ସହମତି ପ୍ରକାଶ ପାଇନାହିଁ। ସୁପ୍ରିମ୍ କୋର୍ଟ ଦ୍ବାରା ବିବାଦର ସମାଧାନ ପାଇଁ କମିଟି ଗଠନ ପରେ ଆଜି ପ୍ରଥମ ବୈଠକ ହୋଇଥିଲା। ଆଜି ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଗାମୀ ୧୯ ତାରିଖ ଦିନ ହେବ। ଆଜି ବୈଠକରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ଯେ ନୂଆ କୃଷି ଆଇନ କେବଳ କୃଷକଙ୍କ ହିତ ସାଧନ ପାଇଁ ଉଦ୍ଦିଷ୍ଟ ଏବଂ ଦେଶରେ କୃଷି ସଂସ୍କାରର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆଇନ ଅଣାଯାଇଛି। ଚାଷୀମାନଙ୍କ ସମସ୍ତ ଦାବି ସଂପର୍କରେ ସରକାର ସଚେତନ ଅଛନ୍ତି, କିନ୍ତୁ ଆଇନ ପ୍ରତ୍ୟାହାର ହୋଇପାରିବ ନାହିଁ। ଆଇନ୍କୁ ନେଇ ଯେଉଁ ବିଭ୍ରାନ୍ତି ସୃଷ୍ଟି କରାଯାଇଛି ତାହାକୁ ଦୂର କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ସେ କହିଥିଲେ। ଅନ୍ୟ ପକ୍ଷରେ ଚାଷୀ ନେତାମାନେ ଆଜି ମଧ୍ୟ ତିନି କୃଷି ଆଇନ ପ୍ରତ୍ୟାହାର ହିଁ ଏକମାତ୍ର ସର୍ତ୍ତ ବୋଲି କହିଥିଲେ। ଚାଷୀ ଆଇନ ପ୍ରତ୍ୟାହାର କରାଯିବା ବ୍ୟତୀତ ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ ବୋଲି ଚାଷୀ ନେତାମାନେ କହିଥିଲେ। ୩ ନୂଆ ଆଇନ ପ୍ରତ୍ୟାହାର ଏବଂ ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନ୍ କାର୍ଯ୍ୟକାରୀ କରିବା ହିଁ ଦେଶର ସମସ୍ତ ଚାଷୀ ସଂଗଠନର ଏକ ମାତ୍ର ଦାବି ବୋଲି କୁହାଯାଇଥିଲା। ତେବେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କେବଳ କଥାବାର୍ତ୍ତା ମାଧ୍ୟମରେ ଏହି ଅଚଳାବସ୍ଥାର ପରିସମାପ୍ତି ଘଟିବ ଏବଂ ଆନ୍ଦୋଳନକୁ ନେଇ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଚାଷୀ ସଂଗଠନମାନେ ଗ୍ରହଣ କରିବାକୁ ହେବ। ସରକାର ସୁପ୍ରିମ୍ କୋର୍ଟ ଦ୍ବାରା ଗଠିତ କମିଟିରେ ନିଜ ପକ୍ଷ ରଖିବେ ଏବଂ ଆଲୋଚନା ମାଧ୍ୟମରେ ହିଁ ସମାଧାନର ରାସ୍ତା ବାହାରିବ ବୋଲି ତୋମର କହିଥିଲେ। ଚାଷୀମାନେ ଏବେ ସେମାନଙ୍କ ଦାବି ନେଇ କମିଟି ମାଧ୍ୟମରେ ଯଥାର୍ଥ ପ୍ରସ୍ତାବ ଦେଲେ ସରକାର ତାହା ଉପରେ ବିଚାର କରିବେ ବୋଲି ସେ କହିଥିଲେ। ତେବେ ଚାଷୀ ନେତା ରାକେଶ ଟିକାୟତ ଏହାକୁ ଗ୍ରହଣ କରିନଥିଲେ ଏବଂ ସରକାର ଚାଷୀ ବିରୋଧ ପଦକ୍ଷେପ ନେବାରୁ ଦୂରେଇ ରହିବା ଉଚିତ ବୋଲି କହିଥିଲେ।
ବୈଠକ ପରେ କୃଷି ମନ୍ତ୍ରୀ ତୋମର କହିଛନ୍ତି ଯେ ରାଜନୈତିକ ସ୍ବାର୍ଥ ପାଇଁ କିଛି ଦଳ ଆନ୍ଦୋଳନକୁ ଉସୁକାଉଛନ୍ତି। ଏ ବାବଦରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାର୍ଯ୍ୟ ଓ ବୟାନ ଏହାର ଉଦାହରଣ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି ଯେ ଏବେ ଚାଷୀ ନେତାମାନେ ହିଁ ଦେଶର ଚାଷୀଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ କଷ୍ଟ ଦେଉଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ନୂଆ କୃଷି ଆଇନ ଦ୍ବାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/govt-farmer.jpg)