ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାରଙ୍କ ମାର୍ଗଦର୍ଶିକା

ଅନଲାଇନ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ କ୍ଷେତ୍ରରେ ଏଏସସିଆଇର ଦିଶାନିର୍ଦ୍ଦେଶ ପାଳନ କରାଯାଉ
ଏପରି ସମସ୍ତ ବିଜ୍ଞାପନରେ ବାଧ୍ୟତାମୂଳକ ଭାବେ ସତର୍କ ସୂଚନା ଦେଖାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏହି ମାର୍ଗଦର୍ଶିକାର ପାଳନ କରିବା ଲାଗି କୁହାଯାଇଛି । ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସି ପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଦୃଷ୍ଟିକୁ ଆସିଛି । ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ । ତେଣୁ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୫୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ି ଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ପରାମର୍ଶ ବୈଠକ ପରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ, ଏଏସସିଆଇ, ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ, ଅଲଇଣ୍ଡିଆ ଗେମିଂ ଫେଡରେସନ, ଫେଡରେସନ ଅଫ ଇଣ୍ଡିଆନ ଫାଣ୍ଟାସି ସ୍ପୋର୍ଟ୍ସ ଏବଂ ଅନଲାଇନ ରମ୍ମି ଫେଡରେସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ୧୯୮୫ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତରେ ବିଜ୍ଞାପନ ଉଦ୍ୟୋଗଗୁଡ଼ିକ ପାଇଁ ମୁମ୍ବାଇସ୍ଥିତ ସ୍ୱନିୟାମକ ସ୍ୱେଚ୍ଛାକୃତ ସଂଗଠନ ଅଟେ। ଏହାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ସ୍ୱ-ନିୟନ୍ତ୍ରଣକୁ ଏହାର କୋଡ ଅନୁରୂପ କରିବା। କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଅନ୍ତର୍ଗତ ଟେଲିଭିଜନ ନେଟୱର୍କଗୁଡ଼ିକ ଲାଗି ଏଏସସିଆଇ ଦ୍ୱାରା ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ପାଳନ କରିବା ବାଧ୍ୟତାମୂଳକ ଅଟେ ।

ସମ୍ବନ୍ଧିତ ଖବର