କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଏର୍ଣ୍ଣାକୁଲମ୍‌ର ସରକାରୀ ହସ୍ପିଟାଲ୍‌ରେ ନିୟୋଜିତ ହେଲା ରୋବର୍ଟ

କୋଚି: କିଛି ଦିନ ତଳେ ଘୋଷଣା ହୋଇଥିଲା ଯେ ସରକାରୀ ହସ୍ପିଟାଲ୍‌ମାନଙ୍କରେ କରୋନା ଆକ୍ରାନ୍ତମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବା ପାଇଁ ରୋବର୍ଟ ନିୟୋଜିତ କରାଯିବ। କେରଳର ଏର୍ଣ୍ଣାକୁଲ୍‌ମସ୍ଥିତ ସରକାରୀ ହସ୍ପିଟାଲ୍‌ରେ ଶନିବାର ଏକ ରୋବର୍ଟ ନିୟୋଜିତ କରାଯାଇଛି। ଏହି ରୋବର୍ଟର ନାମ ‘କର୍ମ-ରୋବର୍ଟ’। .ମୋହନଲାଲଙ୍କ ବିଶ୍ବଶାନ୍ତି ଫାଉଣ୍ଡେସନ୍ ପକ୍ଷରୁ ଏହା ଡାକ୍ତରଖାନାକୁ ଦାନସୂତ୍ରରେ ଦିଆଯାଇଛି।

କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନ ଆଣିବା ସକାଶେ ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ସ୍ବାସ୍ଥ୍ୟକର୍ମୀମାନଙ୍କ କ୍ଷେତ୍ରରେ କୋଭିଡ-୧୯ ସଂକ୍ରମଣର ସମ୍ଭାବନା କମ୍ ହୋଇପାରେ।

ଏର୍ଣ୍ଣାକୁଲମ୍‌ ସରକାରୀ‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ଆଜିଠାରୁ ନିୟୋଜିତ ହୋଇଥିବା ଏହି ରୋବର୍ଟ କେବଳ ଆଇସୋଲେସନ୍‌ ୱାର୍ଡ ପାଇଁ ଉଦ୍ଦିଷ୍ଟ । ଏହା କେବଳ ରୋଗୀଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବ ନାହିଁ ବରଂ ରୋଗୀଙ୍କ ନିକଟରେ ଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାହାରକୁ ଆଣିବା ସହ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଭିଡିଓ କଲିଂ ମଧ୍ୟ କରାଇବ।

ଆଜି ରୋବର୍ଟଟିକୁ ହସ୍ପିଟାଲ୍‌ରେ ନିୟୋଜିତ କରାଯିବା ପରେ ଏ ନେଇ ଜିଲ୍ଲା ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ରୋବର୍ଟଟି ସଂପୂର୍ଣ୍ଣ ସ୍ବୟଂଚାଳିତ। ସେ ନିଜ କାମ ବିନା କୌଣଷି ମଣିଷର ସହାୟତାରେ ସଂପନ୍ନ କରିବ ବୋଲି ସୂଚନା ରହିଛି।

 

ସମ୍ବନ୍ଧିତ ଖବର