ବିବାହର ତୁରନ୍ତ ପରେ ସ୍ତ୍ରୀକୁ ଛାଡ଼ି ବିଦେଶ ଚାଲି ଯାଉଥିବା ପ୍ରବାସୀ ଭାରତୀୟ ସାବଧାନ! ପାସପୋର୍ଟ ରଦ୍ଦ ହେବ, ଚାକିରି ବି ଯାଇପାରେ

ଜଲନ୍ଧର/ସିମ୍‌ଲା : ପଞ୍ଜାବ ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ଏନ୍‌ଆର୍‌ଇ ବା ପ୍ରବାସୀ ଭାରତୀୟ ବର । ବିବାହ କରି ନିଜ ସ୍ତ୍ରୀକୁ ଭାରତରେ ଛାଡ଼ି ବିଦେଶ ଚାଲି ଯାଉଥିବା ଯୁବକମାନଙ୍କୁ ବାଟକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ବାଟ ଆପଣାଇଥିବା ଜଣାପଡ଼ିଛି । ଯଦିଏନ୍‌ଆର୍‌ଆଇ ବା ପ୍ରବାସୀ ଭାରତୀୟମାନେ ଭାରତରେ ବିବାହ କରି ନିଜ ସ୍ତ୍ରୀକୁ ଭାରତରେ ଛାଡ଼ି ବିଦେଶ ଚାଲିଯିବେ,ତେବେ ସେମାନଙ୍କ ପାର୍ସପୋର୍ଟ ରଦ୍ଦ ହେବା ସହ ଚାକିରି ମଧ୍ୟ ଚାଲିଯିବ । ଏବେ ଏଭଳି ନିୟମ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଲାଗୁ ହେବା ପରେ ଏହି ସମସ୍ୟା ଅନେକାଂଶରେ କମ ହେବା ବୋଲି ଆଶା କରାଯାଉଛି ।

SBS

ସୂଚନା ମୁତାବକ, କିଛି ବର୍ଷ ହେବ ପଞ୍ଜାବ,ହରିୟାଣା,ଚଣ୍ଡିଗଡ଼ ଏବଂ ହିମାଚଳରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ବାରମ୍ବାର ଏହି ସମସ୍ୟା ଉପୁଜୁଥିବାରୁ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ପ୍ରଚଳିତ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି । ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ମିଳିତ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ଚଣ୍ଡିଗଡ଼ ପାସପୋର୍ଟ ଅଫିସ ପ୍ରାୟ ୭ ଜଣ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ରଦ୍ଦ କରି ସାରିଥିବା ଜଣା ପଡ଼ିଛି । ପଞ୍ଜାବ, ହରିୟାଣା,ଚଣ୍ଡିଗଡ଼ ଏବଂ ହିମାଚଳରେ ପ୍ରାୟ ଏଭଳି ୧୩ହଜାର ପ୍ରବାସୀ ଭାରତୀୟ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ଚାଲି ଯାଇଛନ୍ତି । ପଞ୍ଜାବରେ ଏହାର ସଂଖ୍ୟା ଅଧିକ ବୋଲି ଜଣା ପଡ଼ିଛି । ଏବେ ସବୁ ଜିଲ୍ଲାର ପୁଲିସ ଷ୍ଟେସନରୁ ଏଭଳି ମାମଲା କେତୋଟି ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ପତ୍ନୀକୁ ଛାଡ଼ି ବିଦେଶ ଯାଇଥିବା ଯୁବକଙ୍କର ପାସପୋର୍ଟ ରଦ୍ଦ କରାଯିବା ସହ ଚାକିରି ମଧ୍ୟ ଛାଡ଼ିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର