ତିନି ସରକାରୀ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ : ଦେଶରେ ଆଉ ତିନିଟି ସରକାରୀ ବ୍ୟାଙ୍କର ମିଶ୍ରଣ ହେବ। ସେହି ତିନି ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଏହି ସୂଚନା ଦେଇଛନ୍ତି। ଏହି ତିନି ବ୍ୟାଙ୍କର ମିଶ୍ରଣ ହେଲେ ଏହା ହେବ ତୃତୀୟ ବୃହତ ବ୍ୟାଙ୍କ।

ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହୋଇଥିବା ବେଳେ ଦ୍ୱିତୀୟ ବଡ଼ ବ୍ୟାଙ୍କ ହେଉଛି ଏଚ୍‌ଡିଏଫ୍‌ସି ବ୍ୟାଙ୍କ। ଏଚ୍‌ଡିଏଫ୍‌ସି ହେଉଛି ଘରୋଇ କ୍ଷେତ୍ରର ବ୍ୟାଙ୍କ। ଜେଟ୍‌ଲି କହିଛନ୍ତି ଯେ, ଯେଉଁ ତିନି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି ସେଗୁଡ଼ିକର କୌଣସି କର୍ମଚାରୀ ପ୍ରଭାବିତ ହେବେ ନାହିଁ। ତିନି ବ୍ୟାଙ୍କର ମିଶ୍ରଣରେ ୧୪.୮୨ ଲକ୍ଷ କୋଟି ଟଙ୍କାର ଏକ ନୂଆ ବ୍ୟାଙ୍କ ଗଠନ ହେବ। ସେହି ବ୍ୟାଙ୍କର ପୁଞ୍ଜି ସୁଦୃଢ଼ ହେବ, ପରିଚାଳନା ଖର୍ଚ କମିବ ଓ ତାହାର ଶାଖା ସଂଖ୍ୟା ମଧ୍ୟ ଅଧିକ ରହିବ। ଦେଶ ଓ ବିଦେଶରେ ବ୍ୟାଙ୍କ ଅଫ୍‌ ବରୋଦାର ଶାଖାଗୁଡ଼ିକ ପ୍ରଯୁକ୍ତି ଦୃଷ୍ଟିରୁ ସୁଦୃଢ଼। ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଦେନା ବ୍ୟାଙ୍କ ଆଗୁଆ ଥିବା ବେଳେ ଏହା ପାଖରେ ବିପୁଳ ପରିମାଣର ଜମା ମଧ୍ୟ ରହିଛି। ବିଜୟ ବ୍ୟାଙ୍କର ଋଣ ପ୍ରଦାନ ସଂସ୍କୃତି ଦେଶର ଅନ୍ୟତମ ଶ୍ରେଷ୍ଠ ବୋଲି କୁହାଯାଏ। ତିନି ବ୍ୟାଙ୍କ ମିଶିବା ପରେ ଯେଉଁ ବ୍ୟାଙ୍କ ଗଠନ ହେବ ତାହା ଶାଖା ସଂଖ୍ୟା, ପ୍ରଯୁକ୍ତି ଓ ପୁଞ୍ଜି ଦୃଷ୍ଟିରୁ ବେଶ ସୁଦୃଢ଼ ହୋଇପାରିବ। ଏସମ୍ପର୍କରେ ଅଧିକ ସୂଚନା ଦେଇ ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି ଯେ, ମିଶ୍ରଣ ପ୍ରସ୍ତାବ ଉପରେ ବିଚାର କରିବାକୁ ତିନି ବ୍ୟାଙ୍କର କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଏହି ମିଶ୍ରଣ ପାଇଁ କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ସହିତ ଏହାର ସହଯୋଗୀ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଏଲ୍‌ଆଇସି ଦ୍ୱାରା ଆଇଡିବିଆଇ ବ୍ୟାଙ୍କର ଅଂଶଧନ ଅଧିଗ୍ରହଣକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ଏବେ ଦେଶରେ ଥିବା ୨୧ଟି ବ୍ୟାଙ୍କରେ ସରକାରଙ୍କ ଅଂଶଧନ ରହିଛି। ଏହି ଅବସରରେ ଜେଟ୍‌ଲି କହିଛନ୍ତି ଯେ, ୨୦୦୮-୧୪ ମଧ୍ୟରେ ବିପୁଳ ପରିମାଣର ଋଣ ପ୍ରଦାନ କରାଯାଇଥିବାରୁ ଦେଶରେ ଏନ୍‌ପିଏ (ଅଣାଦେୟ ଋଣ) ସଙ୍କଟ ଦେଖାଦେଇଛି। ଏଥିପାଇଁ ସେ ପୂର୍ବତନ ଉପା ସରକାରଙ୍କୁ ଦାୟୀ କରିଛନ୍ତି। ଦେଶରେ ଏନ୍‌ପିଏ ପରିମାଣ ୧୦.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର