ନୂଆଦିଲ୍ଲୀ: ମୋବାଇଲ୍ ସଂଯୋଗୀକରଣ ସହ ଆଧାର ନମ୍ବର ସଂଯୋଗ କରିବାକୁ ଲୋକମାନଙ୍କୁ ବାଧ୍ୟ କରୁଥିବାରୁ ସମାଲୋଚନାର ସରବ୍ୟ ହୋଇଥିବା ସରକାର ଯାଞ୍ଚ ପ୍ରକ୍ରିୟା ସମାପନ କରିବା ନିମନ୍ତେ ବିକଳ୍ପ ପରିଚୟ ପ୍ରମାଣ ସମ୍ପର୍କରେ ଚିନ୍ତା କରୁଛନ୍ତି। ରେସନ୍ କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଏବଂ ପାସ୍ପୋର୍ଟ ଆଦିକୁ ବିକଳ୍ପ ପରିଚୟ ପତ୍ର ଭାବେ ବିଚାରକୁ ନିଆ ଯାଇ ପାରେ ବୋଲି ଜଣା ପଡ଼ିଛି।
ଆମେ ଅନ୍ୟ ବିକଳ୍ପ ଖୋଜିବାକୁ ପ୍ରସ୍ତୁତ ଅଛୁ। ଆମେ ବିଚାର କରୁଛୁ, ରେସନ୍ କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ କିଂବା ଅନ୍ୟ କିଛି ପ୍ରାମାଣିକ ଦଲିଲ୍ କରି ହେବ କି, ନାହିଁ। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।
ସୁପ୍ରିମ୍ କୋର୍ଟ ନିର୍ଦ୍ଧାରଣ କରିଥିବା ସେଣ୍ଡେଡ୍ ଅନୁସାରେ ଏହା ସ୍ଥିର କରାଯିବ। ଆମେ ଉକ୍ତ ପ୍ରକ୍ରିୟାକୁ ଦୁର୍ବଳ କରି ପାରିବୁ ନାହିଁ।
ଲୋକ ନୀତି ଫାଉଣ୍ଡେସନ୍ ଏକ ଅଭିଯୋଗ ଫାଇଲ୍ କରିବା ପରେ ସୁପ୍ରିମ୍ କୋର୍ଟ ଟେଲିକମ୍ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଥିଲେ କି ଏଥିପାଇଁ ଏକ ବିଶ୍ୱସନୀୟ ପ୍ରମାଣିକ ପ୍ରକ୍ରିୟା କରାଯାଉ। ତାହାକୁ ପାଳନ କରିବା ପୂର୍ବକ ଟେଲିକମ୍ ମନ୍ତ୍ରାଳୟ ମୋବାଇଲ କମ୍ପାନିମାନଙ୍କୁ ନିର୍ଦେଶ ଜାରି କରିଥିଲେ କି, ସମସ୍ତ ମୋବାଇଲ୍ ସଂଯୋଗୀକରଣ ସହ ଉକ୍ତ ଗ୍ରାହକମାନଙ୍କର ଆଧାର ନମ୍ବର ସଂଯୋଗ କରାଯାଉ। ଯଦି ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ଏହି ସଂଯୋଗୀକରଣ ପ୍ରକ୍ରିୟା ସମାପନ ନ ହୁଏ ତେବେ ସମ୍ପୃକ୍ତ ଗ୍ରାହକମାନଙ୍କର ମୋବାଇଲ ସେବା ବିଚ୍ଛିନ୍ନ କରାଯିବ।

ଏହା ପରେ ଦେଶବ୍ୟାପୀ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ମେସେଜ୍ ପାଇଲେ ଯେ ଆଧାର କାର୍ଡ ନମ୍ବର ସହ ମୋବାଇଲ୍ ସିମ୍ କାର୍ଡ ନମ୍ବର ସଂଯୋଗ କରାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହା ନ କରାଗଲେ ଫୋନ୍ ନମ୍ବର ଅକାମୀ ହୋଇଯିବ। ଶେଷ ତାରିଖ ହେଉଛି: ଫେବ୍ରୁଆରି ୬, ୨୦୧୮।
ସେ ଯାହାହେଉ ମୋବାଇଲ୍ ଫୋନ୍ ନିମନ୍ତେ ଆଧାର ସଂଯୋଗୀକରଣ ନିଷ୍ପତ୍ତିକୁ ସମାଲୋଚନା କରାଯିବା ସହ ଏହାକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ମଙ୍ଗଳବାର ଦିନ ସଦ୍ୟ ପିଟିସନ୍ ଦାଏର୍ କରିଛନ୍ତି ତେହସୀନ୍ ପୁନାଓ୍ଵାଲା।
ସରକାର ଉକ୍ତ ପିଟିସନ୍ ସଂକ୍ରାନ୍ତରେ ଅବଗତ ଅଛନ୍ତି ଏବଂ ଏହା ଉପରେ ଅଦାଲତ୍ କ’ଣ କହୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନଙ୍କ ସକାଶ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଟେଲିକମ୍ ସେକ୍ରେଟାରି ଅରୁଣା ସୁନ୍ଦରରାଜନ କହିଛନ୍ତି।
ମୋବାଇଲ୍ ସହ ଆଧାର ସଂଯୋଗ କରିବାକୁ ପୂର୍ବରୁ ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା ତିନୋଟି ପଦ୍ଧତି ଘୋଷଣା କରିଥିଲେ। ସେଗୁଡ଼ିକ ହେଉଛି ଓଟିପି, ଆପ୍ କିଂବା ଆଇଭିଆର୍ଏସ୍।
କମ୍ପାନିମାନଙ୍କ ନିକଟକୁ ଯାଇ ମୋବାଇଲ୍-ଆଧାର ସଂଯୋଗ କରିବା ଚାଲୁ ରହିଥିବାବେଳେ ଶାରୀରିକ ଅକ୍ଷମ, ପୁରୁଣା ରୋଗୀ ଏବଂ ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ସେମାନଙ୍କ ମୋବାଇଲ୍ରେ ଆଧାର ସଂଯୋଗ କରିବାକୁ ଅପରେଟର୍ମାନଙ୍କୁ ସରକାର ଆଦେଶ ଦେଇଛନ୍ତି।
ଏଯାବତ୍ ପ୍ରାୟ ୫୦ କୋଟି ମୋବାଇଲ୍ ନମ୍ବରରେ ଆଧାର ଡାଟାବେସ୍ ସଂଯୋଗ ହୋଇ ସାରିଲାଣି।