ନୂଆଦିଲ୍ଲୀ: ଭାରତର ମୁଖ୍ୟ ଏବଂ ଅନ୍ୟାନ୍ୟ ନିର୍ବାଚନ କମିସନର୍‌ମାନଙ୍କ ନିଯୁକ୍ତି ପ୍ରକ୍ରିୟା ସଦସ୍ୟ କମିଟିରୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପାଇଁ ଆଜି କେନ୍ଦ୍ର ସରକାର ସଂସଦରେ ଚିଠା ବା ‘ବିଲ୍‌’ ଆଗତ କରିବେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Advertisment

ଆଗତ ହୋଇଥିବା ଚିଠା ପ୍ରସ୍ତାବ ଅନୁସାରେ, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ ପ୍ରଧାନମନ୍ତ୍ରୀଙ୍କଦ୍ବାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ କମିଟିଦ୍ବାରା ନିର୍ବାଚନ କମିସନର୍‌ମାନଙ୍କୁ ଚୟନ କରାଯିବ।

ମୁଖ୍ୟ ନିର୍ବାଚନ କମିସନର୍‌ ଏବଂ ଅନ୍ୟ ନିର୍ବାଚନ କମିସନର୍‌ମାନଙ୍କ ଚିଠା, ୨୦୨୩କୁ ରାଜ୍ୟସଭାରେ ଉପସ୍ଥାପନ କରିବା ଲାଗି ତାଲିକାଭୁକ୍ତ କରାଯାଇଛି। ଆଜି ରାଜ୍ୟସଭାରେ ଏହି ଚିଠାକୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ଉପସ୍ଥାପନ କରିବେ।

କିନ୍ତୁ, କଂଗ୍ରେସ ଏହି ଚିଠାକୁ ସମାଲୋଚନା କରି କହିଛି, ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ଏହା ପୁଣି ଗୋଟାଏ ଉଦ୍ୟମ। କଂଗ୍ରେସ ସାଂସଦ ସୁସ୍ମିତା ଦେବ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର୍‌ ଚୟନ କରିବା ଲାଗି ଭାରତର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ କେନ୍ଦ୍ର କ୍ୟାବିନେଟ୍‌ର ଜଣେ ମନ୍ତ୍ରୀଙ୍କୁ ମନୋନୀତ କରିବେ। ବିରୋଧୀ ଦଳର ନେତା ଏହି କମିଟିର ଜଣେ ସଦସ୍ୟ ହେବେ। ତେଣୁ, ସରକାରୀ ଦଳର ସଦସ୍ୟଙ୍କ ସଂଖ୍ୟା ଅଧିକ ହୋଇଯିବ। ସ୍ବାଧୀନ ରହିବାକୁ ଥିବା ଅନ୍ୟ ଏକ ପ୍ରତିଷ୍ଠାନକୁ ଅକ୍ତିଆର କରିବା ପାଇଁ ଏ ହେଉଛି ପୁଣି ଗୋଟାଏ ଉଦ୍ୟମ।