ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସରକାର ବିରୋଧରେ ଏକ ଟିପ୍ପଣୀ ଦେଇଛନ୍ତି। ନିକଟରେ ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିରୁ ବାଦ୍ ପଡ଼ିଥିବା ନୀତିନ କହିଛନ୍ତି, ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଉନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନୀତିନ ଗଡ଼କରୀ ଏଭଳି ଟିପ୍ପଣୀ ଦେଇଥିଲେ। ମୁମ୍ବାଇର କନସଲ୍ଟିଙ୍ଗ ସିଭିଲ୍ ଇଂଜିନିୟର୍ସ ଆସୋସିଏସନ୍ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଗଡ଼କରୀ କହିଛନ୍ତି, ଆପଣମାନେ ଚମତ୍କାର କରିପାରିବେ। ଆପଣମାନଙ୍କ ସେତିକି ଦକ୍ଷତା ମଧ୍ୟ ଅଛି। ତେବେ ମୋର ପରାମର୍ଶ ହେଉଛି, ଭାରତୀୟ ଭିତ୍ତିଭୂମିର ଭବିଷ୍ୟତ ଖୁବ୍ ଉଜ୍ଜ୍ବଳ। ଆମକୁ ଭଲ ବୈଷୟିକ ଜ୍ଞାନ, ଭଲ ଉଦ୍ଭାବନ, ଭଲ ଗବେଷଣା ଏବଂ ଭଲ ଅଭ୍ୟାସକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ନିର୍ମାଣ କ୍ଷେତ୍ରରେ ସମୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ସରକାର ସମୟ ମଧ୍ୟରେ କିଛି ନିଷ୍ପତ୍ତି ନେଉନାହାନ୍ତି। ତେବେ ବିଜେପି ଗଡ଼କରୀଙ୍କ ବୟାନ ଉପରେ ସଫେଇ ଦେଇ କହିଛି ଯେ ଗଡ଼କରୀ ନିର୍ଦ୍ଦିଷ୍ଟ ସରକାରକୁ ନେଇ ଏଭଳି ବୟାନ ଦେଇନାହାନ୍ତି, ସେ ସାଧାରଣ ଭାବେ ସବୁ ସରକାରକୁ ଉଦ୍ଦେଶ୍ୟ କରି ଏଭଳି ମତ ରଖିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp