ସଂକଟ କାଳରେ ନୂଆ ସମ୍ଭାବନା : ସବୁ କର୍ମଚାରୀଙ୍କୁ ମିଳିବ ସର୍ବନିମ୍ନ ପାରିଶ୍ରମିକ, ୮ ଘଣ୍ଟାରୁ ଅଧିକ ସମୟ କାମ ମନା

କାର୍ଯ୍ୟ ଅବଧି ବେଳେ ଏକାଧିକ ଥର ନେଇପାରିବେ ବିରତି

ନୂଆଦିଲ୍ଲୀ: ଶ୍ରମ ଆଇନର ପରିବର୍ତ୍ତନ ଉପରେ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଧାରଣା ତଥା ରାଜନୈତିକ ଆକ୍ରୋଶକୁ ନଜରରେ ରଖି ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଧାର୍ଯ୍ୟ କରିବା ପାଇଁ ଅଧିକ ପ୍ରଭାବଶାଳୀ ନିୟମ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏ ନେଇ ‘ଡ୍ରାଫ୍ଟ କୋଡ ଅନ ୱେଜ୍ ସେଣ୍ଟ୍ରାଲ ରୁଲ୍’ ପାଇଁ ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ନୋଟିଫିକେସନ ମଧ୍ୟ ଜାରି କରିଦିଆଯାଇଛି । ତେବେ ଏହି ନୂଆ ଆଇନରେ ଦେଶର ପ୍ରାୟ ୫୦ କୋଟି କର୍ମଚାରୀ ତଥା ଶ୍ରମିକ ଉପକୃତ ହୋଇପାରିବେ ବୋଲି କେନ୍ଦ୍ର ସରକାର ଆଶା ବ୍ୟକ୍ତ କରିଛନ୍ତି ।

ପୂର୍ବରୁ ସଂସଦରେ ଏହି କୋଡ ଅନ ୱେଜ୍ ବିଲ ପାରିତ ହୋଇସାରିଥିବା ବେଳେ ସରକାର ଯୁକ୍ତି ବାଢିଛନ୍ତି ଯେ, କେବଳ ଲୋକଙ୍କର ଜୀବିକା ନୁହେଁ ବରଂ ଏହି ବିଲରେ ସେମାନଙ୍କର ଉନ୍ନତମାନର ଜୀବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ସର୍ବନିମ୍ନ ଦରମା ଧାର୍ଯ୍ୟ କରିବାର ଅଧିକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ରହିବ ବୋଲି ବିଲରେ ପ୍ରସ୍ତାବ ଦିଆଯାଇଛି ।  ନୂଆ ଆଇନ ଅନୁଯାୟୀ , ନିଯୁକ୍ତିକର୍ତ୍ତାଙ୍କୁ ପ୍ରତିଟି କର୍ମଚାରୀଙ୍କୁ ସାଲାରୀ ସ୍ଲିପ୍ ଦେବାକୁ ହେବ । ତେବେ ଏହା ଫିଜିକାଲ କିମ୍ବା ଇଲେକ୍ଟ୍ରୋନିକ ରୂପରେ ବି କର୍ମଚାରୀଙ୍କୁ ଦେଇପାରିବ କଂପାନି । ସେହିଭଳି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏହି ନୂଆ ବିଲରେ ଅଣକୁଶଳୀ ବର୍ଗର ୧୨୩ ପ୍ରକାରର ବୃତ୍ତିକୁ ସାମିଲ କରାଯାଇଥିବା ବେଳେ ଅର୍ଧକୁଶଳୀ ଶ୍ରେଣୀରେ ୧୨୭ ପ୍ରକାରର ବୃତ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି ।

କାମ କରିବାର ଅବଧି ରହିବ ୮ ଘଣ୍ଟା

ସରକାରଙ୍କ ଏହି ନୂଆ ଫର୍ମାଟରେ କର୍ମଚାରୀଙ୍କ କାମ କରିବାର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ନୂଆ ଆଇନ ଅନୁସାରେ, ସାଧାରଣ କାର୍ଯ୍ୟ ଦିବସରେ ଜଣେ କର୍ମଚାରୀ ମାତ୍ର ୮ ଘଣ୍ଟା କାମ କରିପାରିବେ । ଆଉ ଏହି ୮ ଘଣ୍ଟା ମଧ୍ୟରେ ତାଙ୍କୁ ଥରେ କିମ୍ବା ଅଧିକ ଥର ବିରତି ମିଳିବ । କିନ୍ତୁ ଏହି ବିରତି ସମୟ ସମୁଦାୟ ୧ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ବେଳେ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିବା ନେଇ ଏହି ନୂଆ ବିଲରେ ଉଲ୍ଲେଖ ରହିଛି ।

ଏଠାରେ ଆମେ କହି ରଖୁଛୁ ଯେ, କରୋନା ମହାମାରୀ ସଂକଟ କାଳରେ ଅନେକ ରାଜ୍ୟର ରାଜ୍ୟ ସରକାରମାନେ କର୍ମଚାରୀଙ୍କ କାମ କରିବାର ସମୟ ସୀମାକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିଥିଲେ, ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି ।

ସମ୍ବନ୍ଧିତ ଖବର