‘ବସ୍ ଆଜ କି ରାତ ହୈ ଜିନ୍ଦଗୀ..’ ଗୀତରେ ନୃତ୍ୟ କରୁଥିବା ବେଳେ ହୃଦ୍‌ଘାତରେ ଚାଲିଗଲା ସରକାରୀ ଅଧିକାରୀଙ୍କ ଜୀବନ

ଭୋପାଳ: ଏକ ଦୁଃଖଦ ଘଟଣାକ୍ରମରେ ମଧ୍ୟପ୍ରଦେଶର ଭୋପାଳରେ ଏକ କାର୍ଯ୍ୟକ୍ରମରେ ନୃତ୍ୟ କରୁଥିବା ବେଳେ ସୁରେନ୍ଦ୍ର କୁମାର ଦୀକ୍ଷିତ ନାମକ ଡାକ ବିଭାଗର ସହକାରୀ ନିର୍ଦ୍ଦେଶକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁରେନ୍ଦ୍ର କୁମାର ଦୀକ୍ଷିତ ନୃତ୍ୟ କରୁଥିବା ବେଳେ ହୃଦ୍‌ଘାତର ଶିକାର ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହି ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣକ ‘ବସ୍ ଆଜ କି ରାତ ହୈ ଜିନ୍ଦଗୀ, କଲ୍‌ ହମ୍‌ କାହାନ୍‌, ତୁମ୍‌ କାହାନ୍‌…’ ଗୀତରେ ନାଚ କରୁଥିବାର ଦେଖିବାକୁ ମିଳୁଛି। ତାଙ୍କ ସହକର୍ମୀଙ୍କ ସହ ପୂରା ଜୋସ୍‌ରେ ନାଚୁଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ସେ ହଠାତ୍‌ ତଳେ ପଡ଼ି ଯାଉଛନ୍ତି।
ତାଙ୍କ ଆଖପାଖରେ ଥିବା ଲୋକମାନେ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତଳେ ପଡ଼ିବା ସହ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଭୋପାଳର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ମାର୍ଚ୍ଚ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଡାକ ବିଭାଗ ପକ୍ଷରୁ ୩୪ ତମ ସର୍ବଭାରତୀୟ ଡାକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୧୭ ତାରିଖରେ ଖେଳାଯିବାର ଥିଲା। ଗତ ୧୬ ତାରିଖ ସନ୍ଧ୍ୟରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଡାକ ବିଭାଗର ସହକାରୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ଦୀକ୍ଷିତ ନୃତ୍ୟ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର