ନୂଆଦିଲ୍ଲୀ: ଗତ ସପ୍ତାହରେ ପାର୍ଲାମେଣ୍ଟ୍‌ ସୁରକ୍ଷା ତ୍ରୁଟି ଘଟଣା ପରେ କେନ୍ଦ୍ର ସରକାର ପାର୍ଲାମେଣ୍ଟ୍‌ ପରିସରର ସାମଗ୍ରିକ ନିରାପତ୍ତା ଭାର ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ (ସିଆଇଏସ୍‌ଏଫ୍‌) ଉପରେ ନ୍ୟସ୍ତ କରିବେ ବୋଲି ଆଜି ସରକାରୀ ସୂତ୍ରରୁ ଜଣାପଡ଼ିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ‘ସିଆଇଏସ୍‌ଏଫ୍‌’ ହେଉଛି ଏକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ। ‌ସମ୍ପ୍ରତି ‘ସିଆଇଏସ୍‌ଏଫ୍‌’ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରାଳୟ କୋଠାରେ ପହରା ଦେବା ସହିତ ଆଣିବିକ ଓ ବିମାନ ଚଳାଚଳ କ୍ଷେତ୍ର, ବେସାମରିକ ବିମାନ ବନ୍ଦର ଓ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ବରେ ବି ରହିଛି।

publive-image Image Courtesy of India Today

ବିଶେଷ ସୂତ୍ରରୁ ତଥ୍ୟ ସଂଗ୍ରହ କରି ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି ଯେ, ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରାଳୟ ପାର୍ଲାମେଣ୍ଟ୍‌ ପରିସର ସର୍ବେକ୍ଷଣ କରି ସାମଗ୍ରିକ ଭାବେ ‘ସିଆଇଏସ୍‌ଏଫ୍‌’ ସୁରକ୍ଷା ବଳ ଓ ତା’ର ଅଗ୍ନିଶମ ଶାଖା ନିୟମିତ ଭାବେ ମୁତୟନ କରାଯିବା ଲାଗି ‌ନିର୍ଦେଶ ଦେଇଛି।

ଚଳିତ ସପ୍ତାହରେ ‘ସିଆଇଏସ୍‌ଏଫ୍‌’ର ‘ଗଭର୍ଣ୍ଣମେଣ୍ଟ୍‌ ବିଲ୍‌ଡିଙ୍ଗ୍‌ ସିକ୍ୟୁରିଟି’ ଓ ତା’ର ଅଗ୍ନିଶମ ସେବା ଅଧିକାରୀମାନେ ଉପରୋକ୍ତ ସର୍ଭେ କାର୍ଯ୍ୟ ଆରମ୍ଭ କରିବେ।

ଉଭୟ ନୂଆ ଓ ପୁରୁଣା ସଂସଦ ଭବନ ଓ ତତ୍‌ସଂଲଗ୍ନ ଅନ୍ୟାନ୍ୟ ଅଟ୍ଟାଳିକାଗୁଡ଼ିକର ସୁରକ୍ଷା ଭାର ‘ସିଆଇଏସ୍‌ଏଫ୍‌’ ଦାୟିତ୍ବରେ ଦିଆଯିବ ବୋଲି ସରକାରୀ ସୂତ୍ର କହିଛି।