ନୂଆଦିଲ୍ଲୀ: ଦିନକୁ ଦିନ ନକଲି କଲ୍ ଏବଂ ମେସେଜର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ମାମଲାକୁ ଦୃଷ୍ଟିରେ ରଖି ଗତ ବର୍ଷ ଟ୍ରାଇ ଏକ ନୂତନ ନୀତି ଲାଗୁ କରିଥିଲା। ଯାହା ଅନୁଯାୟୀ ନେଟୱାର୍କ ସ୍ତରରେ ହିଁ ଏପରି କଲ୍ ଏବଂ ଏସଏମସ ଅବରୋଧ କରାଯାଇଛି।
କିଛିଦିନ ହେବ ଅନେକ ଟେଲିକମ୍ କମ୍ପାନି ନକଲି କଲ୍ ଏବଂ ମେସେଜକୁ ବନ୍ଦ କରିବା ପାଇଁ ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଏସବୁ ସତର୍କତା ସତ୍ତ୍ୱେ ସାଇବର ଅପରାଧୀମାନେ ଇଣ୍ଟରନେଟ୍ ମାଧ୍ୟମରେ ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍ ଓ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ ବ୍ୟବହାର କରିବା ଆରମ୍ଭ କରିଛନ୍ତି, ଯାହା ଫଳରେ ସେମାନଙ୍କର ସ୍ଥାନ ଏବଂ ପ୍ରକୃତ ପରିଚୟ ଖୋଜିବା କଷ୍ଟକର ହୋଇପଡୁଛି।
ଥାଇଲାଣ୍ଡର ଦୂରସଂଚାର ସଂଗଠନ ଏନବିଟିସି ଅନୁଯାୟୀ, ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍ କଲ୍ ପ୍ରାୟତଃ +୬୯୭ କିମ୍ବା +୬୯୮ ରୁ ଆରମ୍ଭ ହୁଏ। ଏହି କଲଗୁଡ଼ିକୁ ଟ୍ରାକ୍ କରିବା ସହଜ ହୋଇ ନଥାଏ। ଏହି କାରଣରୁ ସାଇବର ଅପରାଧୀମାନେ ମୁଖ୍ୟତଃ ସେଗୁଡ଼ିକୁ ବ୍ୟବହାର କରିଥାଆନ୍ତି।
ଯଦି ଆଗାମୀ ଦିନରେ ଏପରି ନମ୍ବରରୁ କଲ ପାଉଛନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ। ସରକାର ନକଲି କଲ୍ ଏବଂ ମେସେଜ୍ ବିଷୟରେ ଅଭିଯୋଗ କରିବା ପାଇଁ 'ଚକ୍ଷୁ' ପୋର୍ଟାଲ୍ ଆରମ୍ଭ କରିଛନ୍ତି, ଯାହା ସଞ୍ଚାର ସାଥୀ ୱେବସାଇଟରେ ଉପଲବ୍ଧ। ଏହା ବ୍ୟତୀତ ଏକ ମୋବାଇଲ୍ ଆପ୍ ମଧ୍ୟ ଉପଲବ୍ଧ। ଯାହା ମାଧ୍ୟମରେ ଆପଣ ଏପରି ଠକେଇ କଲ୍ ଏବଂ ମେସେଜ୍ ବିଷୟରେ ସହଜରେ ରିପୋର୍ଟ କରିପାରିବେ।