ନୂଆଦିଲ୍ଲୀ: ସଂପ୍ରତି ଦେଶରେ ପିଲାଚୋର ସନ୍ଦେହରେ ଓ ଗୋରକ୍ଷା ନାମରେ ଏକାଧିକ ଉତ୍ୟକ୍ତ ଲୋକ ଏକାଠି ହୋଇ ଆଇନ୍କୁ ହାତକୁ ନେବା ସହ ଲୋକଙ୍କୁ ଯେପରି ହତ୍ୟା କରୁଛନ୍ତି (ଲିଞ୍ଚିଙ୍ଗ୍) ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ମଧ୍ୟ ଲିଞ୍ଚିଙ୍ଗ୍ ମାମଲାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଲିଞ୍ଚିଙ୍ଗ୍ରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋରରୁ କଠୋର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି (ସୋମବାର) ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦୁଇଟି ଅତ୍ୟନ୍ତ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି। ଗୋଟିଏ କମିଟି କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ନେତୃତ୍ୱରେ ଗଠିତ ହୋଇଛି। ଏହି କମିଟି ଲିଞ୍ଚିଙ୍ଗ୍କୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କି କି ପଦକ୍ଷେପ ନିଆଯିବ ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କି ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେସଂପର୍କରେ ସରକାରଙ୍କୁ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବେ। ଏହି କମିଟିରେ ସେକ୍ରେଟାରି ଜଷ୍ଟିସ୍, ସେକ୍ରେଟାରି ଲିଗାଲ ଆଫେୟାର୍ସ, ସେକ୍ରେଟାରି ଲେଜିସ୍ଲେଟିଭ୍ ଡିପାର୍ଟମେଣ୍ଟ ଓ ସେକ୍ରେଟାରି ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାଓ୍ଵାରମେଣ୍ଟ ସଦସ୍ୟ ଭାବେ ରହିଛନ୍ତି।
ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ସଡ଼କ ଓ ପରିବହନ ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ଏବଂ ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀଙ୍କୁ ନେଇ ଅନ୍ୟ ଏକ ମନ୍ତ୍ରୀଗୋଷ୍ଠୀ ଗଠିତ ହୋଇଛି। କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ନେତୃତ୍ୱରେ ଗଠିତ କମିଟି ତାଙ୍କ ରିପୋର୍ଟ ଏହି ମନ୍ତ୍ରୀଗୋଷ୍ଠୀ ନିକଟରେ ଦାଖଲ କରିବା ପରେ ମନ୍ତ୍ରୀଗୋଷ୍ଠୀ ଏହାର ପୁଙ୍ଖାନୁପୁଙ୍ଖ ବଶ୍ଲେଷଣ କରି ଲିଞ୍ଚିଙ୍ଗ୍ ରୋକିବା ପାଇଁ ସବିଶେଷ ପଦକ୍ଷେପ ସହ ପ୍ରଧାନମନ୍ତ୍ରୀଙ୍କୁ ସୁପାରିସ୍ କରିବେ।