ଭୁଲ୍‌ ଆଧାର ନମ୍ବର ଦେଲେ ୧୦ ହଜାର ଟଙ୍କା ଜରିମାନା ପଡ଼ିବ

ନୂଆଦିଲ୍ଲୀ: କାର୍‌ ଓ ଘର କିଣିବା, ଦରିଆପାରି ଯାତ୍ରା କରିବା କିଂବା ବିନିଯୋଗ କରିବା ଭଳି ଅଧିକ ଅଙ୍କର ଅର୍ଥରାଶି କାରବାର କରିବା ସମୟରେ ପାନ୍‌ ପରିବର୍ତ୍ତେ ଆଧାର ନମ୍ବର ଦେଇ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି, କିନ୍ତୁ ଏଥିରେ ଗୋଟାଏ ଅସୁବିଧା ମଧ୍ୟ ରହିଛି। ଯଦି ଜଣେ ଭୁଲ୍‌ ଆଧାର ନମ୍ବର ଦେଇ ଥାଆନ୍ତି, ସେଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସମ୍ପୃକ୍ତ ଆଇନ୍‌ରେ ସଂଶୋଧନ ଏବଂ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପରେ ୨୦୧୯ ମସିହା ସେପ୍ଟେମ୍ବର ପହିଲାରୁ ଜରିମାନା ବ୍ୟବସ୍ଥା ଲାଗୁ କରାଯିବାର ସମ୍ଭାବନା ରହିଛି।

Image Source: The Hindu

ଅଧିକ ଅର୍ଥରାଶି କାରବାର ହୋଇଥିବା ଦଲିଲରେ ଯଦି ଜଣେ ନିଜର ଆଧାର ନମ୍ବର ଭୁଲ୍‌ କରି ଥାଆନ୍ତି ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ଜଣେ ଏକାଧିକ ଦଲିଲରେ ଭୁଲ୍‌ ଆଧାର ନମ୍ବର ଦେଇଥାଆନ୍ତି, ତେବେ ପ୍ରତି ଦଲିଲ ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଅବଶ୍ୟ ଜରିମାନା ଆଦେଶ ଦିଆଯିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏ କଥା ଜଣାଇ ଦିଆଯିବ।

ପାନ୍‌ ବଦଳରେ ଆଧାର ଚଳିବ ବୋଲି ଜୁଲାଇ ୫ ତାରିଖ ବଜେଟ୍‌ରେ ହୋଇଥିବା ଘୋଷଣା ଅନୁଯାୟୀ ସେ ସମ୍ବନ୍ଧୀୟ ଆଇନ୍‌ରେ ବି ପରିବର୍ତ୍ତନ କରାଯିବ।

ସମ୍ବନ୍ଧିତ ଖବର