ଘରୋଇ କଲେଜଗୁଡ଼ିକ ପାଇଁ ମଧ୍ୟ ନୂଆ ସଂରକ୍ଷଣ ବିଲ ଆଣିବାକୁ ଯୋଜନା କରୁଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: ସବର୍ଣ୍ଣ ସଂରକ୍ଷଣ ବିଲ ପରେ ଏବେ ଘରୋଇ କଲେଜଗୁଡ଼ିକ ପାଇଁ ମଧ୍ୟ ନୂଆ ସଂରକ୍ଷଣ ବିଲ ଆଣିବାକୁ ଯୋଜନା କରୁଛନ୍ତି ମୋଦି ସରକାର । ପ୍ରାଇଭେଟ କଲେଜରେ ଏସସି/ଏସଟି, ଓବିସି, ଆର୍ଥିକ ଦୁର୍ବଳ ବର୍ଗ ଲୋକଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ସରକାର ବିଚାର କରୁଛନ୍ତି । ଆଗାମୀ ବଜେଟ ଅଧିବେଶନରେ ଏହାକୁ ନେଇ ସଂସଦରେ ବିଧେୟକ ଆଣିବାକୁ ଯୋଜନା କରୁଛନ୍ତି ସରକାର ।

୩୧ ଜାନୁଆରିରେ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ପ୍ରାଇଭେଟ କଲେଜରେ ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଆଣିପାରନ୍ତି ସରକାର । ଏ ନେଇ ମାନବ ସଂଶାଧନ ଓ ବିକାଶ ମନ୍ତ୍ରାଳୟ ମଙ୍ଗଳବାର ଘୋଷଣା କରିଛି । ଏହାଛଡା ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ୨୫ ପ୍ରତିଶତ ଆସନ ବଢାଯିବ ଯାହା ଦ୍ୱାରା ଏସସି/ଏସଟି, ଅନ୍ୟ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସଂରକ୍ଷଣ ଉପରେ ଯେପରି ପ୍ରଭାବ ନ ପଡିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

ତେବେ ଏହି  ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ବିଜେପିର ଏହା ନିର୍ବାଚନୀ ଚାଲ୍ । ନିର୍ବାଚନ ଫାଇଦାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରୁଛି ବିଜେପି । ଯାହାକୁ ଆରଜେଡି ଜୋରଦାର ବିରୋଧ କରିଛି । ଆରଜେଡିର କହିବା ଅନୁଯାୟୀ, କାହା ସହ ବିନା ଆଲୋଚନାରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଆଗାମୀ ୨ ସପ୍ତାହ ପରେ ଏହି ବିଲର ଭାଗ୍ୟ କ’ଣ ହେବ ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର