ପିଆଜ ମୂଲ୍ୟ ହ୍ରାସ ଓ ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ : ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା ପ୍ରକ୍ରିୟା ତ୍ବରାନ୍ବିତ

ନୂଆଦିଲ୍ଲୀ: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେବାରୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିଥିଲା । ଏହି ପରିପ୍ରେକ୍ଷୀରେ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର ମୂଲ୍ୟକୁ ତଦାରଖ କରୁଛନ୍ତି । ଏହି ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି ।  ୨୦୨୦ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏସବୁ ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଲେ ଏହାର ମହଜୁଦ ପରିମାଣକୁ ନିୟନ୍ତ୍ରିତ କରିବାର କ୍ଷମତା ସରକାରଙ୍କର ରହିଛି ।

ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ତାରତମ୍ୟ ଚଳିତ ଅକ୍ଟୋବର ୨୧ ତାରିଖରେ ଗତବର୍ଷ ଏହି ତାରିଖ ତୁଳନାରେ ୨୨.୧୨ ଶତାଂଶ ଅଧିକ ହୋଇଛି । ଅର୍ଥାତ୍‌ କେଜି ପିଛା ପିଆଜର ଦାମ ଗତବର୍ଷ ଏହି ତାରିଖରେ ୪୫.୩୩ ଟଙ୍କା ଥିବାବେଳେ ଚଳିତବର୍ଷ ସେହି ତାରିଖରେ ଏହା ୫୫.୬୦ ଟଙ୍କା ହୋଇଥିଲା । ଏହି ମୂଲ୍ୟକୁ ଯଦି ୫ ବର୍ଷର ମୂଲ୍ୟ ସହ ତୁଳନା କରାଯାଏ ତେବେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୧୪.୯୬ ଶତାଂଶ ବଢିଛି । ପାଞ୍ଚ ବର୍ଷ ତଳେ ଏହି ସମୟରେ ପିଆଜର କେଜି ପିଛା ମୂଲ୍ୟ ୨୫ ଟଙ୍କା ୮୭ ପଇସା ଥିବାବେଳେ ଏବେ ତାହା ୫୫.୬୦ ଟଙ୍କା ରହିଛି । ତେଣୁ ଗତ ୫ ବର୍ଷର ହାରାହାରି ଦରକୁ ତୁଳନା କଲେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୦୦ ଶତାଂଶରୁ ଅଧିକ ବଢିଛି ।

ଚଳିତବର୍ଷ ରବି ଋତୁରେ ଉତ୍ପାଦିତ ପିଆଜ ମଧ୍ୟରୁ ୧ ଲକ୍ଷ ମେଟ୍ରିକ ଟନ ପିଆଜ ସରକାର ସଂଗ୍ରହ କରି ବଫର ଷ୍ଟକରେ ରଖିଥିଲେ ।  ଏହି ମହଜୁଦ ପରିମାଣ ଗତବର୍ଷ ତୁଳନାରେ ଦୁଇଗୁଣ ଥିଲା । ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାମ ବେଶ୍‌ ତତ୍ପରତାର ସହ ଚଳିତବର୍ଷ ସେପ୍ଟେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଛି । ଏହିସବୁ ପିଆଜ ଦେଶର ପ୍ରମୁଖ ମଣ୍ଡି ତଥା ଖୁଚୁରା ଯୋଗାଣକାରୀ ସଂସ୍ଥା ସଫଲ, କେନ୍ଦ୍ରୀୟ ଭଣ୍ଡାର, ଏନ୍‌ସିସିଏଫ୍‌, ତନ୍ନହୋଡା ଓ ଟାନଫେ୍‌ଡ୍‌ (ତାମିଲନାଡୁ) ତଥା ନାଫେଡ୍‌ର ବିଭିନ୍ନ ପ୍ରମୁଖ ସହରରେ ଥିବା ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି ।

ପ୍ରାୟ ୩୭ ଲକ୍ଷ ମେଟ୍ରିକ ଟନର ଖିରିଫ ପିଆଜ ଖୁବ୍‌ଶୀଘ୍ର ମଣ୍ଡିରେ ପହଞ୍ଚିବ ବୋଲି ଆଶ କରାଯାଉଛି । ଏହା ପହଞ୍ଚିଲେ ବଜାରରେ ପିଆଜର ଉପଲବ୍ଧତା ବଢିବ । ବଜାରରେ ପିଆଜ ଯଥେଷ୍ଟ ପରିମାଣରେ ଯେପରି ମିଳେ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ କରାଯାଉଛି । ବିଦେଶରୁ ପିଆଜ ଆମଦାନୀ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ସମ୍ବନ୍ଧିତ ଖବର