ବିରୋଧୀଙ୍କ ଅଭିଯୋଗ ଜବାବରେ ସରକାରଙ୍କ ଭିଡିଓ ଜାରି
ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭାରେ ହୋଇଥିବା ହଙ୍ଗାମାର ଭିଡିଓ ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଛି। ଭିଡିଓ ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ, କେତେକ ବିରୋଧୀ ଦଳ ସାଂସଦ ଗୃହର ମଧ୍ୟଭାଗକୁ ମାଡ଼ିଯିବା ସହ ଉପାଧ୍ୟକ୍ଷ ହରିବଂଶଙ୍କ ହାତରୁ କାଗଜ ଛଡ଼ାଇ ନେଉଛନ୍ତି। ସେମାନେ ରାଜ୍ୟସଭା କର୍ମଚାରୀଙ୍କୁ ମଧ୍ୟ ଧସ୍ତାଧସ୍ତି କରି ପେପର୍ ଛଡ଼ାଇ ନେଉଥିବା ଦେଖିବାକୁ ମିଳିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଟିଏମ୍ସି ନେତା ଡେରେକ୍ ଓବ୍ରାଏନ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସେମାନେ ହରିବଂଶଙ୍କ ଆଡ଼କୁ ମାଡ଼ିଯିବା ପୂର୍ବରୁ ସେମାନଙ୍କୁ ଅଟକା ଯାଇଥିଲା। ଅନ୍ୟ ସାଂସଦମାନେ ମଧ୍ୟ ଉପାଧ୍ୟକ୍ଷଙ୍କ ଟେବୁଲ୍ ଆଡ଼କୁ ମାଡ଼ିଯାଇ ମାଇକ୍ ଭାଙ୍ଗିଥିଲେ ଏବଂ କାଗଜପତ୍ର ଚିରିଥିଲେ। ସେମାନେ କୃଷିବିଲ୍କୁ ଚିରିଦେଇଥିବା ମଧ୍ୟ କୁହାଯାଇଛି। ଏହି ଘଟଣା ପରେ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରି ସମାଲୋଚନା ଜାରି ରଖିଥିବାବେଳେ ଟିଏମ୍ସି ନେତା ଡେରେକ୍ ଓବ୍ରାଏନ୍ ମଧ୍ୟ ଏକ ଭିଡିଓ ପୋଷ୍ଟ୍ କରି ସରକାରଙ୍କୁ ଘେରିବାକୁ ପ୍ରୟାସ କରିଥିଲେ। ତେବେ ଆଜି ସରକାରଙ୍କ ପକ୍ଷରୁ ୨ଟି ସିସିଟିଭି ଫୁଟେଜ୍ ଜାରି ହେବାପରେ ମାମଲା ନୂଆମୋଡ଼ ନେଇଛି। ଆମ୍ ଆଦମୀ ପାର୍ଟି ସାଂସଦ ସଂଜୟ ସିଂହ ମଧ୍ୟ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ସଂସଦରେ ଏକ ଟେବୁଲ୍ ଉପରେ ଛିଡ଼ା ହୋଇ ସେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଛି।