ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ୨୫ ବିଶେଷଜ୍ଞଙ୍କୁ କେନ୍ଦ୍ର ସରକାର ପ୍ରମୁଖ କେନ୍ଦ୍ରୀୟ ପଦରେ ନିଯୁକ୍ତି ଦେବେ। ଏନେଇ ନିଯୁକ୍ତି କମିଟି (ଏସିସି) ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନାକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ନିଯୁକ୍ତି କମିଟି ଅଧିକାରୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ନିଯୁକ୍ତି କମିଟି ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ତିନିଜଣ ଯୁଗ୍ମ ସଚିବ ଏବଂ ୨୨ ନିର୍ଦ୍ଦେଶକ / ଡେପୁଟି ସଚିବଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ସାଧାରଣତ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସେକ୍ରେଟାରୀ ପଦଗୁଡିକ ସମସ୍ତ ଭାରତ ସେବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍), ଭାରତୀୟ ବନ ସେବା (ଆଇଏଫଓଏସ) ଏବଂ ଅନ୍ୟାନ୍ୟ ଗ୍ରୁପ୍ ଏ ସେବା ଅଧିକାରୀଙ୍କଦ୍ବାରା ପରିଚାଳିତ ହୋଇଥାଏ।
ଅଧିକାରୀ କହିଛନ୍ତି ଯେ ଏହି ଘରୋଇ କ୍ଷେତ୍ର ବିଶେଷଜ୍ଞମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଉଛି । ଯାହାର ଉଦ୍ଦେଶ୍ୟ ହେଉଛି ସରକାରରେ ନୂତନ ପ୍ରତିଭା ଅନ୍ତର୍ଭୁକ୍ତ କରିବା । ଏହି ସିଧାସଳଖ ନିଯୁକ୍ତି ଯୋଜନା ୨୦୧୮ ରେ ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ-ସଚିବ ସ୍ତରରେ ନିଯୁକ୍ତି ଦିଆଯାଉଛି। ଏହି ସ୍ତରର ଅଧିକାରୀମାନେ ନୀତି ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଏହି ପ୍ରକ୍ରିୟା ମାଧ୍ୟମରେ ଆସୁଥିବା ଅଧିକାରୀମାନେ ପରେ ସରକାରୀ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାନ୍ତି।
କାର୍ମିକ ମନ୍ତ୍ରଣାଳୟ ଜୁନ୍ ୨୦୧୮ ରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଦଶ ଯୁଗ୍ମ ସଚିବ ପଦବୀ ପାଇଁ ଆବେଦନକୁ ଆମନ୍ତ୍ରଣ କରିଥିଲା । ଏହି ପଦବୀ ପାଇଁ ନିଯୁକ୍ତି କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଦ୍ୱାରା କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୨୦୨୧ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୩ ଯୁଗ୍ମ ସଚିବ , ୧୯ ନିର୍ଦ୍ଦେଶକ ଏବଂ ୯ ଡେପୁଟି ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଁ ଆୟୋଗ ପୁନର୍ବାର ୩୧ ଜଣ ପ୍ରାର୍ଥୀଙ୍କ ସୁପାରିଶ କରିଥିଲେ।
ସେ କହିଛନ୍ତି ଏପର୍ଯ୍ୟନ୍ତ ବେସରକାରୀ କ୍ଷେତ୍ରର ଦଶ ଜଣ ଯୁଗ୍ମ ସଚିବ ଏବଂ ୨୮ ନିର୍ଦ୍ଦେଶକ / ଡେପୁଟି ସେକ୍ରେଟେରୀଙ୍କ ସମେତ ମୋଟ ୩୮ ଜଣ ବିଶେଷଜ୍ଞ ସରକାରଙ୍କ ସହ ଜଡିତ ଅଛନ୍ତି। ବର୍ତ୍ତମାନ ୮ ଯୁଗ୍ମ ସଚିବ, ୧୬ ନିର୍ଦ୍ଦେଶକ ଏବଂ ୯ ଡେପୁଟି ସେକ୍ରେଟାରୀଙ୍କ ସମେତ ୩୩ ଜଣ ବିଶେଷଜ୍ଞ ପ୍ରମୁଖ ସରକାରୀ ବିଭାଗରେ କାର୍ଯ୍ୟ କରୁଛନ୍ତି।