୩୫୪ ସୀମାନ୍ତ ଗାଁରେ ସରକାର ଯୋଗାଇବେ ମୋବାଇଲ୍ ସେବା

ନୂଆଦିଲ୍ଲୀ : ସୀମାନ୍ତର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୫୪ ଗ୍ରାମରେ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ । ବିଶେଷକରି ଦେଶର ୬୮ଟି ଆକାଂକ୍ଷୀ ଜିଲା, ସୀମାନ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଅପହଞ୍ଚ ଇଲାକାରେ ଲୋକଙ୍କୁ ମଧ୍ୟ ଏହି ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଚେନ୍ନଇଠାରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ୨୩୦୦ କିମି ଲମ୍ବର ସମୁଦ୍ରଜଳ ଅପ୍‌ଟିକାଲ ଫାଇବର କେବୁଲ ସଂଯୋଗ ବ୍ୟବସ୍ଥାର ଉଦ୍‌ଘାଟନ ଅବସରରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଏହି କେବୁଲ ସେବା ପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହିତ ଦେଶର ଅନ୍ୟାନ୍ୟ ଅପହଞ୍ଚ ଇଲାକାକୁ ଟେଲି ସେବା ଯୋଗାଇ ଦେବାକୁ ସରକାର କାର୍ଯ୍ୟ କରୁଛନ୍ତି ।

ଦେଶର ଅପହଞ୍ଚ ଓ ଅଗମ୍ୟ ଅଞ୍ଚଳରେ ବିଭିନ୍ନ ଟେଲି ସଂଯୋଗ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଦେଶର ମୋଟ ୩୫୪ଟି ଟେଲିସେବା ସୁଯୋଗ ନଥିବା ଗାଁକୁ ଟେଲି ସଂଯୋଗ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିସବୁ ଗ୍ରାମ ସାମରିକ, ସୀମା ସରହଦ ଓ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିମଧ୍ୟରୁ ୧୪୪ଟି ଗାଁ ଜମ୍ମୁ, କଶ୍ମୀର ଓ ଲଦାଖରେ ରହିଛି । ଅବଶିଷ୍ଟ ଗ୍ରାମଗୁଡିକ ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଗୁଜରାଟର ଅଗ୍ରାଧିକାର କ୍ଷେତ୍ରରେ ଅଛି ।

ସମ୍ବନ୍ଧିତ ଖବର