ନୂଆଦିଲ୍ଲୀ: ସରକାରଙ୍କୁ ଘାରିଛି କରୋନା ଚିନ୍ତା। କରୋନା ପାଇଁ ଏବେ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ରୋକ୍‌ ଲଗାଇଛନ୍ତି ସରକାର। ଭାରତରେ କରୋନା ଭୁତାଣୁକୁ ଆଖି ଆଗରେ ରଖି ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସମାନଙ୍କରେ ଲାଗିଥିବା ବାୟୋମେଟ୍ରିକ ଉପସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

Advertisment

ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ସରକାରୀ ମନ୍ତ୍ରାଳୟ ତଥା ବିଭାଗଗୁଡିକୁ ୩୧ମାର୍ଚ୍ଚ ପର୍ଯ୍ୟନ୍ତ ଆଧାର ଭିତ୍ତିକ ବାୟୋମେଟ୍ରିକ ସିଷ୍ଟମକୁ ବନ୍ଦ କରି ସେମାନଙ୍କ କର୍ମଚାରୀଙ୍କୁ ଛାଡ଼ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ସମୟରେ କର୍ମଚାରୀମାନେ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ଚିହ୍ନଟ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ମାସ୍କ ପିନ୍ଧିବାର ଆବଶ୍ୟକତା ଉପରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ମାସ୍କର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦାବି କରୁଥିବା ଦୋକାନୀଙ୍କ ବିରୋଧରେ କଠୋର କାର‍୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।