ଗରିବଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛନ୍ତି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ ‘ଜାତୀୟ ଅଲୋଚନାଚକ୍ର ‘ନ ବର୍ଷ: ସେବା, ସୁଶାସନ ଓ ଗରିବ କଲ୍ୟାଣ’କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଓ ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୨୦୧୪ ପୂର୍ବବର୍ତ୍ତୀ ସରକାର ଓ ବର୍ତ୍ତମାନ ସରକାରର କାର୍ଯ୍ୟାବଳୀରେ ଏକ ତୁଳନାତ୍ମକ ବିବରଣୀ ଦେଇଥିଲେ।

ସେ କହିଥିଲେ, ପୂର୍ବ ସରକାର ସମୟରେ ଦୁର୍ନୀତିର ପ୍ରାବଲ୍ୟ ଥିବାବେଳେ ବର୍ତ୍ତମାନର ସରକାର ବିଗତ ନଅବର୍ଷ ଧରି ନିଷ୍ଠାର ସହିତ ଗରିବଙ୍କ କଲ୍ୟାଣ ନିମନ୍ତେ କାମ କରୁଛନ୍ତି। ଏଥିରେ ପ୍ରତ୍ୟେକଟି ପଇସା ଗରିବ କଲ୍ୟାଣ କାମରେ ବିନିଯୋଗ ହେଉଛି। ଦେଶରେ ଗରିବ, ଅସହାୟ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେଥିରେ ଜନକଲ୍ୟାଣର ସଂଦେଶ ଓ ଚିତ୍ର ସ୍ପଷ୍ଟ ମିଳୁଛି। ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଗରିବ ଓ ନିରାଶ୍ରୟମାନେ ଅଗ୍ରାଧିକାର ପାଇଛନ୍ତି।

ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇବା ଗରିବ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ଏ କ୍ଷେତ୍ରରେ ସରକାର ଏଯାଏ ୩.୫ କୋଟି ଘର ତିଆରି କରିସାରିଛନ୍ତି ଏବଂ ଏସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଛି। ଏହି ଯୋଜନା ଗରିବ ଲୋକଙ୍କ ଜୀବନରେ ମାନକ ପରିବର୍ତ୍ତନ ଆଣିଛି। ଦେଶର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇ ଦେବା ଏକ ଅତି କଷ୍ଟସାଧ୍ୟ କାର୍ଯ୍ୟ ଭାବେ ବିବେଚିତ ହୋଇ ଆସୁଥିଲା। ସେଥିପାଇଁ ଏ ଦିଗରେ କୌଣସି ସରକାର କାମ କରୁ ନ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଦେଶର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇ ଦେବାର ସାହସିକ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାର ଫଳସ୍ୱରୂପ ଏବେ ଦେଶର ୧୨ କୋଟି ପରିବାରର ଲୋକଙ୍କୁ ପାଇପ ଜଳ ସଂଯୋଗ ସୁବିଧା ମିଳିଛି। ସେହି ସମୟ ମଧ୍ୟରେ ସରକାର ମଧ୍ୟ ପାରମ୍ପରିକ ଚୁଲିର ଆବସାନ ଘଟାଇ ୯.୬ କୋଟି ପରିବାରକୁ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣର ବ୍ୟବସ୍ଥା କରିଛନ୍ତି।

ଶ୍ରୀ ବୈଷ୍ଣବ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ଅନେକ କଥା କହିଥିଲେ। କରୋନା ମହାମାରୀ ସମୟର କଥା ସ୍ମରଣ କରି ସେ କହିଥିଲେ ଯେ ସରକାର ସେତେବେଳେ ଗରିବ ଓ ଅଭାବୀ ଲୋକଙ୍କ ଅସୁବିଧା ଦୂର କରିବାକୁ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରିଥିଲେ। ଶୌଚାଳୟ ଭଳି ଜନତାଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ କୌଣସି ସରକାର ଚିନ୍ତା କରି କାମ କରି ନଥିବା ବେଳେ ମୋଦୀ ସରକାର ଏ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିଛନ୍ତି। ଏହା ସମାବେଶୀ ଅଭିବୃଦ୍ଧିର ସୂଚନା ଦିଏ। ଲାଲକିଲ୍ଲାର ପ୍ରାଚୀର ଉପରୁ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜନକଲ୍ୟାଣ ଓ ବିକାଶର ଯେଉଁ ପ୍ରତିଶ୍ରୁତି ସବୁ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରୁଛନ୍ତି। ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ଦେଶରେ ଏକ ବିପ୍ଳବ ଆଣିଥିବା ବେଳେ ମହିଳାଙ୍କ ନିରାପତ୍ତା ଓ ସାଧାରଣ ସ୍ୱଚ୍ଛତାକୁ ସୁରକ୍ଷିତ କରିଛି।

ଭାରତରେ ଏବେ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଅଧୀନରେ କାର୍ଯ୍ୟକାରୀ ହେଉଛି। ଏଥିରେ ଗରିବ ହିତାଧିକାରୀଙ୍କୁ ଦେଶର ଉନ୍ନତ ହସ୍ପିଟାଲରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦିଆଯାଉଛି। ହିତାଧିକାରୀ ବିନା ଖର୍ଚ୍ଚରେ ଏହି ଯୋଜନାରେ ଉନ୍ନତ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ଏହି ଯୋଜନାରେ ଉପକୃତ ହେଉଥିବା ଲୋକଙ୍କ ସଂଖ୍ୟା ଉଭୟ ଆମେରିକା ଓ ରୁଷିଆର ମିଳିତ ଜନସଂଖ୍ୟାଠାରୁ ଅଧିକ।

ଦେଶର ଘରୋଇ ଭିତ୍ତିଭୂମି ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଏବେକାର ସରକାର ଏ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛନ୍ତି। ଦେଶରେ ଗତ ନ’ ବର୍ଷ ମଧ୍ୟରେ ୭୪ଟି ନୂଆ ବିମାନବନ୍ଦର, ୯୧ ହଜାର କିଲୋମିଟର ନୂଆ ସଡ଼କ ନିର୍ମିତ ହୋଇଛି। ସ୍ୱାଧୀନତା ପରଠାରୁ ୨୦୧୪ ଯାଏ ଦେଶରେ ମୋଟ ୫୪ ହଜାର କିଲୋମିଟର ସଡ଼କ ନିର୍ମିତ ହୋଇଥିଲା। ୨୦୧୪ ପର୍ଯ୍ୟନ୍ତ ଭାରତରେ କୌଣସି ଜଳପଥ ନ ଥିଲା। ଏବେ ୧୧ଟି ଜଳପଥ ସୃଷ୍ଟି କରାଯାଇଛି। ଭାରତୀୟ ରେଳଷ୍ଟେସନଗୁଡ଼ିକରେ ବିମାନବନ୍ଦର ଭଳି ସୁବିଧା ଉପଲବ୍ଧ ହେଉଛି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହା ମାତ୍ର ୯ ବର୍ଷର ଉପଲବ୍ଧି। ଆଉ ଦୁଇବର୍ଷ ମଧ୍ୟରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଆଉ ଛ’ ବର୍ଷ ପରେ ଏହା ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିର ମାନ୍ୟତା ପାଇବ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ ବିଗତ ନ’ ବର୍ଷରେ ଭାରତ ନାଟକୀୟ ପରିବର୍ତ୍ତନମାନ ଦେଖିଛି। ସାଧାରଣ ଜନତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ସରକାରଙ୍କଠାରୁ ଲୋକେ ଯାହା ଆଶା କରୁଥିଲେ ତା’ଠାରୁ ଅଧିକ ସରକାର କରିବାରେ ସମର୍ଥ ହୋଇଛନ୍ତି।
ଦ୍ୱିତୀୟ ଅଧିବେଶନରେ ଅଭିନେତା ନୱାଜଉଦ୍ଦିନ ସିଦ୍ଦିକ, ଭାରତରେ ଥିବା ୟୁନିସେଫ୍ ମୁଖ୍ୟ ସିନ୍ଥିଆ ମ୍ୟାକଫ୍ରେ, ବାଇକନର କାର୍ଯ୍ୟକାରୀ ଅଧ୍ୟକ୍ଷା କିରଣ ମଜୁମଦାର ସ, ବକ୍ସର ନିଖତ ଜରିନ, ପଦ୍ମଶ୍ରୀ ଶାନ୍ତି ତେରେସା ଲାକ୍ରା ପ୍ରମୁଖ ଭାଗ ନେଇଥିଲେ। ସେହିଭଳି ତୃତୀୟ ସ୍ୱତନ୍ତ୍ର ଅଧିବେଶନରେ ଅଭିନେତା ଋଷଭ ଶେଟ୍ଟି, ଉଦ୍ୟୋଗପତି ଋତେଶ୍ ଅଗ୍ରୱାଲ, ପ୍ରାକ୍ତନ ହକି କ୍ୟାପ୍ଟେନ ବୀରେନ ରାସକୁରନା, ବକ୍ସର ଅଖିଳ କୁମାର ଓ ଶିଳ୍ପ ଉଦ୍ୟୋଗୀ ଯଶୋଧାରା ବାଜୋଡ଼ିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର