ବିରୋଧୀ ଦଳ ନେତାଙ୍କ ଅଭିଯୋଗ: ‘କେରଳ ସରକାର ଗୁପ୍ତରେ ସିଏଏ, ଏନ୍‌ପିଆର୍‌ ଲାଗୁ ଯୋଜନା କରୁଛନ୍ତି’

ରିପୋର୍ଟ ମାଗିବେ ରାଜ୍ୟପାଳ

ତିରୁଅନନ୍ତପୁରମ୍‌: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ପିଆର୍‌କୁ ବାରମ୍ବାର ବିରୋଧ କରି ଆସୁଥିଲେ ମଧ୍ୟ ଅସଲରେ ସେ ଏହି ଯୋଜନାର ସମର୍ଥକ ଏବଂ ଏହାକୁ ରାଜ୍ୟରେ ଗୁପ୍ତରେ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲା ଅଭିଯୋଗ କରିଛନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ବାମ ଦଳ ସରକାର ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରିବାର କିଛିଦିନ ପରେ କଂଗ୍ରେସର ଏଭଳି ଅଭିଯୋଗ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀ ବିଜୟନ ବିଭିନ୍ନ ସମୟରେ ଗଣମାଧ୍ୟମରେ ସିଏଏ ବିରୋଧୀ ମନ୍ତବ୍ୟ ଦେଉଥିଲେ ମଧ୍ୟ ବାସ୍ତବରେ ସେ ଏହି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସର ହେଉଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଚେନ୍ନିଥାଲା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହେବାପାଇଁ ମୁଖ୍ୟମନ୍ତ୍ରୀ ଏଭଳି ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି।

ରିପୋର୍ଟ ମାଗିବେ ରାଜ୍ୟପାଳ
କେରଳ ସରକାର ସିଏଏ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌। ରାଜ୍ୟପାଳ କହିଛନ୍ତି ମୋତେ ଏ ବାବଦରେ କୌଣସି ସୂଚନା ନଦେଇ ରାଜ୍ୟ ସରକାର ଅତ୍ୟନ୍ତ ବେପରୁଆ ଆଚରଣ କରିଛନ୍ତି। ଏଥିପାଇଁ ସରକାରଙ୍କୁ ରିପୋର୍ଟ ତଲବ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। କୌଣସି ବ୍ୟକ୍ତି ଏବଂ ରାଜନୈତିକ ଦଳର ନୀତି ଅନୁସାରେ ସରକାର ଚାଲିବ ନାହିଁ, ରାଜ୍ୟ ସରକାର ଦେଶର ନିୟମ ଏବଂ ସମ୍ବାଧାନକୁ ସମ୍ମାନ କରି କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

ସମ୍ବନ୍ଧିତ ଖବର