ଆନ୍ଦୋଳନକାରୀ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଅପମାନିତ ନ କରିବା ଲାଗି ମେଘାଳୟ ରାଜ୍ୟପାଳ ସତ୍ୟପାଳ ମଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପରାମର୍ଶ କରିଛନ୍ତି। ସେହିପରି ସରକାର ଯଦି କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପାଇଁ ଏକ ନ୍ୟାୟିକ ଗ୍ୟାରେଣ୍ଟି ଦେବେ, ତେବେ ଚାଷୀମାନେ ନରମିଯିବେ ବୋଲି ନିଜର ଜନ୍ମ ଜିଲ୍ଲା ଉତ୍ତରପ୍ରଦେଶର ବାଘପତରେ ଅନୁଷ୍ଠିତ ଏକ ଉତ୍ସବରେ ଉଦ୍‌ବୋଧନ ଦେଇ ଶ୍ରୀ ମଲିକ କହିଛନ୍ତି।

ଅପରପକ୍ଷେ, ଚାଷୀମାନଙ୍କୁ ସମର୍ଥନ କରି ଶ୍ରୀ ମଲିକ ଆହୁରି କହିଛନ୍ତି ଯେ କୌଣସି ବି ଆଇନ ଚାଷୀଙ୍କ ସ୍ବାର୍ଥ ପାଇଁ ନୁହେଁ। ଯେଉଁଠି କୃଷକ ଓ ସୈନିକମାନେ ସନ୍ତୁଷ୍ଟ ନୁହନ୍ତି, ସେ ଦେଶ ଆଗକୁ ବଢ଼ି ପାରିବ ନାହିଁ କି ତାହାକୁ ରକ୍ଷା କରିହେବନାହିଁ। ଚାଷୀ ବୁଣିଲା ବେଳେ ଦର ଯାହା ରହୁଛି, ତାହା ଅମଳ ବେଳେ ପାଖାପାଖି ୩୦୦ ଟଙ୍କା କମିଯାଉଛି। ଏପରି ଭାବେ ଚାଷୀଙ୍କ ଅଜାଣତରେ ସେମାନଙ୍କ ସତ୍ୟାନାଶ ହୋଇଚାଲିଛି। ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ହେବ ବୋଲି ସେ କହିଛନ୍ତି। ଏଥି ସହିତ ଚାଷୀଙ୍କ ବିରୋଧରେ ବଳ ପ୍ରୟୋଗ ନ କରିବା ସହ ସେମାନଙ୍କୁ ଦିଲ୍ଲୀରୁ ଖାଲିହାତରେ ଫେରିଯିବାକୁ ନଦେବା ଲାଗି ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ମଲିକ ଦାବି କରିଛନ୍ତି। ଏପରିକି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସେ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର