ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ କହିଛନ୍ତି ଯେ ରାଜ୍ୟପାଳମାନେ ରାଜ୍ୟ ସରକାରମାନେ ପଠାଉଥିବା ବିଲ୍ ଉପରେ ଯଥାଶୀଘ୍ର ସମ୍ଭବ ନିଷ୍ପତ୍ତି ନେବା ଉଚିତ। ସେମାନେ ବିଲ୍ ପାସ୍ କରିପାରନ୍ତି କିମ୍ବା ଫେରାଇ ଦେଇପାରନ୍ତି। ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରିବା ଅବସରରେ ସୋମବାର ଏହା କହିଛନ୍ତି। ସମ୍ବିଧାନର ଧାରା ୨୦୦ର ଉଲ୍ଲେଖ କରି ଖଣ୍ଡପୀଠ କହିଲେ, ରାଜ୍ୟପାଳମାନେ ଯଥାଶୀଘ୍ର ସମ୍ଭବ ବିଲ୍ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଉଭୟ ସଦନ ଦ୍ବାରା ପାସ୍ ହୋଇ ଯେଉଁ ବିଲ୍ ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ଆସୁଛି, ରାଜ୍ୟପାଳ ତାହା ଉପରେ ତୁରନ୍ତ ଅନୁମୋଦନ ପ୍ରଦାନ କରିବେ କିମ୍ବା ବିଲ୍କୁ ଫେରାଇଦେବେ କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ଏହାକୁ ସଂରକ୍ଷିତ ରଖୁଛନ୍ତି ବୋଲି ଜଣାଇଦେବେ।
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଲେ ଯେ ରାଜ୍ୟପାଳଙ୍କ ପାଖରେ କୌଣସି ବିଲ୍ ପଡ଼ିରହି ନାହିଁ। କେତେକ ବିଲ୍କୁ ସେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ମନ୍ତବ୍ୟ ପାଇଁ ଫେରାଇ ଦେଇଛନ୍ତି। ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ, ରାଜ୍ୟପାଳ ବିଲ୍ ପାସ୍ କରିବାକୁ ଅଯଥା ବିଳମ୍ବ କରୁଛନ୍ତି। ରାଜ୍ୟପାଳ କେବେ ଦୟା କରିବେ ତାକୁ ଚାହିରହୁଛନ୍ତି ରାଜ୍ୟ ସରକାର। ମଧ୍ୟପ୍ରଦେଶ, ଗୁଜରାଟ ପ୍ରଭୃତି ରାଜ୍ୟରେ ଗୋଟିଏ ଦିନରେ ବିଲ୍ ପାସ୍ ହୋଇଯାଉଛି, ଅଥଚ ତେଲେଙ୍ଗାନା ପ୍ରଭୃତି ବିରୋଧୀ ଦଳ-ଶାସିତ ରାଜ୍ୟରେ ତା’ର ବ୍ୟତିକ୍ରମ ଘଟୁଛି।