ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି । ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି। ଆଗାମୀ ନିର୍ବାଚନରେ ଗୋବିନ୍ଦା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି। ସେ ଉତ୍ତର-ପଶ୍ଚିମ ମୁମ୍ବାଇରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ସେ କହିଛନ୍ତି ଯେ ମୋତେ ଯେଉଁ ଦାୟିତ୍ୱ ମିଳିଛି, ମୁଁ ତାହାକୁ ସଚ୍ଚୋଟତାର ସହ ପାଳନ କରିବି।

Advertisment

୨୦୦୪ ମସିହାରେ ଗୋବିନ୍ଦା ରାଜନୀତିରେ ପଦାର୍ପଣ କରିଥିଲେ। ଏହାପରେ ସେ କଂଗ୍ରେସ ଦଳର ଟିକେଟ ଜିତି ସଂସଦ ଭବନରେ ପହଞ୍ଚିଥିଲେ। ୨୦ ବର୍ଷ ତଳେ ସେ ମୁମ୍ବାଇ ଉତ୍ତରରୁ ନିର୍ବାଚନ ଜିତିଥିଲେ। ଏହାପରେ ସେ ବିଜେପି ପ୍ରାର୍ଥୀ ରାମ ନାଏକଙ୍କୁ ପରାସ୍ତ କରିଥିଲେ। ପରେ ରାମ ନାଏକ ୟୁପିର ରାଜ୍ୟପାଳ ହୋଇଥିଲେ। ତେବେ ପରେ ଗୋବିନ୍ଦା ବ୍ୟକ୍ତିଗତ କାରଣ ଦର୍ଶାଇ ରାଜନୀତି ଛାଡ଼ିଥିଲେ। ତେବେ ଜଣ ସାଂସଦଭାବେ ତାଙ୍କର ପ୍ରଦର୍ଶନ ଓ କାର୍ଯ୍ୟକଳାପ ବେଶ ନୈରାଶ୍ୟଜନକ ଥିଲା । ଏପରିକି ସେ ସଂସଦକୁ ମଧ୍ୟ ଯାଉନଥିଲେ । ଏହି କାରଣରୁ କଂଗ୍ରେସ ମଧ୍ୟ ତାଙ୍କ ସେତେଟା ଗୁରୁତ୍ବ ଦେଇନଥିଲା ।

ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ବର୍ତ୍ତମାନ ଶିବସେନାର ଗଜାନନ କୀର୍ତ୍ତିକର ପ୍ରତିନିଧିତ୍ୱ କରୁଛନ୍ତି। ତେବେ କୀର୍ତ୍ତିକରଙ୍କ ବାର୍ଦ୍ଧକ୍ୟ କାରଣରୁ ଏକନାଥ ସିନ୍ଦେ ଗୋଷ୍ଠୀ ତାଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଚାହୁଁନଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏଠାରୁ ଗୋବିନ୍ଦାଙ୍କ ପାଇଁ ଲଢ଼ିବାର ସମ୍ଭାବନା ଦୃଢ଼ ବୋଲି ବିବେଚନା କରାଯାଉଛି।