ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।  ୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ଅନଲାଇନରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି। ଲୋକଙ୍କ ଠାରୁ ଏହି ଟଙ୍କା ଠକେଇ ମାମଲାର ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ।

Advertisment

ଇଓଡବ୍ଲୁର ଇନ୍ସପେକ୍ଟର ଜେ‌ନେରାଲ ଜେଏନ୍ ପଙ୍କଜ କହିଛନ୍ତି, ‘ଜୁଲାଇରେ ଗୋଆଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋଲୋଜି ଆଲିଆନ୍ସର ଲଞ୍ଚ୍ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ।

ତେବେ ‌ସେ ଏଭଳି ଠକ ସଂସ୍ଥା‌ରେ ବିନିଯୋଗ ପାଇଁ କ‌ାହିଁକି ସମସ୍ତଙ୍କୁ ଉତ୍ସାହିତ କରିଥିଲେ? ଏଥିରେ ଗୋବିନ୍ଦାଙ୍କର କ'ଣ ଭୂମିକା ରହିଥିଲା? ଏସବୁ ଦିଗକୁ ଇଓଡବ୍ଲୁ ଖୋଳତାଡ଼ କରିବ ବୋଲି କୁହାଯାଉଥିବା ବେଳେ ଖୁବଶୀଘ୍ର ବମ୍ବେ ଯିବ ଏକ ସ୍ବତନ୍ତ୍ର ଟିମ୍ । ତେବେ ଯେପର୍ଯ୍ୟନ୍ତ ଯାଞ୍ଚ ଶେଷ ହୋଇନାହିଁ ଗୋବିନ୍ଦା ସନ୍ଦିଗ୍ଧ କି ଅଭିଯୁକ୍ତ ବୋଲି କୁହାଯିବ ନାହିଁ। ଯାଞ୍ଚ ଶେଷ ପରେ ଏହି ଘଟଣାରେ ତାଙ୍କର ସମ୍ପୃକ୍ତି କାହିଁକି ଥିଲା ତାହା ଜଣାପଡ଼ିବ।

ଯଦି ଆମେ ଜାଣୁ ଯେ ତାଙ୍କ ଭୂମିକା କେବଳ ସେମାନଙ୍କ ବ୍ୟବସାୟ ଚୁକ୍ତିନାମା ଅନୁଯାୟୀ ଉତ୍ପାଦର ଅନୁମୋଦନ ମଧ୍ୟରେ ସୀମିତ ଥିଲା, ତେବେ ଆମେ ତାଙ୍କୁ ଆମ କ୍ଷେତ୍ରରେ ସାକ୍ଷୀ କରିବୁ। ଭଦ୍ରକ, କେନ୍ଦୁଝର, ବା‌ଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ କମ୍ପାନି ୩୦ କୋଟି ଟଙ୍କା ସଂଗ୍ରହ କରିଛି।

ଏଥିସହିତ  ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟରେ ନିବେଶକ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି।

କମ୍ପାନିର କଣ୍ଟ୍ରି ଏବଂ ଓଡ଼ିଶା ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ନିରୋଦ ଦାସଙ୍କୁ ଅଗଷ୍ଟ ୭ରେ ଇଓଡବ୍ଲ୍ୟୁ ଗିରଫ କରିଛି। ଏଥିସହିତ ସିଦ୍ଧୁଙ୍କ ସହ ଲିଙ୍କ ଥିବାରୁ ଭୁବନେଶ୍ୱରର ନିବେଶ ପରାମର୍ଶଦାତା ରତ୍ନାକର ପାଲଙ୍କୁ ମଧ୍ୟ ଅଗଷ୍ଟ ୧୬ ରେ ଗିରଫ କରାଯାଇଥିଲା। ହଙ୍ଗେରୀ ନାଗରିକ ତଥା କମ୍ପାନି ମୁଖ୍ୟ ଡେଭିଡ ଗେଜଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା।

ଏହି ଠକେଇ ଘଟଣାରେ ଦୁଇଲକ୍ଷରୁ ଅଧିକ ଲୋକ ଫସି ଯାଇଥିବା ଖବର ମିଳିଛି। ଦୁଇଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଏହି ସଂସ୍ଥା ୧,୦୦୦କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇ ଘଟଣାକୁ ‌କେନ୍ଦ୍ର କରି ଗୋବିନ୍ଦାଙ୍କୁ ପଚରାଉଚରା କରାଯିବ। ଏହାକୁ ନେଇ କୁହାଯାଉଛି ଗୋବିନ୍ଦା ଅଡ଼ୁଆ ପଡ଼ି ପାରନ୍ତି।