ଉଠିଲା ହଜ୍‌ ସବସିଡି, ବଞ୍ଚିବ ୭ ଶହ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୮ରୁ ହଜ୍‌ ସବସିଡି ଉଠାଇଦେଇଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ପାଇଁ ହଜ୍‌ ସବସିଡି ଉଠିଛି । ଏହାଫଳରେ ସରକାର ବର୍ଷକୁ ପ୍ରାୟ ୭ଶହ କୋଟି ଟଙ୍କା ସଂଚୟ କରିପାରିବେ । ଏ ସଂପର୍କରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକବୀ କହିଛନ୍ତି ଯେ ଏହା ଦ୍ୱାରା ତୁଷ୍ଟୀକରଣ ବିନା ସଂଖ୍ୟାଲଘୁଙ୍କ ପ୍ରକୃତ ବିକାଶ ହୋଇପାରିବ ।

୨୦୨୨ ସୁଦ୍ଧା ପର୍ଯ୍ୟାୟକ୍ରମେ ହଜ୍‌ ସବସିଡି ଉଠାଇବାକୁ ଗତ ୨୦୧୨ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ ବର୍ଷ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । ବର୍ତ୍ତମାନର ହଜ ନୀତିର ସମୀକ୍ଷା ଓ ୨୦୧୮-୨୨ ପାଇଁ ନୂଆ ହଜ୍‌ ନୀତି ପ୍ରୟଣନ ସଂପର୍କରେ ଆବଶ୍ୟକ ପ୍ରସ୍ତାବ ଦେବାପାଇଁ ଏହି କମିଟି ଗଠନ କରାଯାଇଥିଲା ।

ନୂଆ ହଜ୍‌ ନୀତରେ ପ୍ରସ୍ତାବ ଦିଆଯାଇଛି ଯେ ଏଣିକି ୪୫ ବର୍ଷରୁ ଅଧିକ ବୟସର ମହିଳାମାନେ ଜଣେ ମେହରାମ ବା ରକ୍ତ ସଂପର୍କୀୟଙ୍କ ବିନା ଏକ ୪ ବା ଅଧିକ ସଦସ୍ୟ ବିଶିଷ୍ଟ ଦଳରେ ହଜ୍‌ ଯାତ୍ରା କରିପାରିବେ । ଅନ୍ୟପକ୍ଷରେ ଏଣିକି ହଜ୍‌ ଯାତ୍ରା ପାଇଁ ସରକାର ଆକାଶ ଓ ଜଳପଥର ବିକଳ୍ପ ପ୍ରଦାନ କରିବେ ।

ଏବର୍ଷ ଭାରତରୁ ସର୍ବାଧିକ ଲୋକ ( ପ୍ରାୟ ୧.୭୫ ଲକ୍ଷ ) ହଜ ଯାତ୍ରା କରିବାର ସମ୍ଭାବନା ରହିଛି । ସାଉଦି ଆରବ ପକ୍ଷରୁ ଭାରତ ପାଇଁ ଥିବା ହଜ୍‌ କୋଟା ପ୍ରାୟ ୫ ହଜାର ବଢାଇବା ପରେ ଯାତ୍ରୀ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର