ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲଗୁଡ଼ିକରେ ଛୋଟ ପିଲାଙ୍କୁ ନେଇ ପ୍ରସାରଣ ହେଉଥିବା ବିଭିନ୍ନ ନୃତ୍ୟ ଆଧାରିତ ରିଅଲିଟି ସୋଗୁଡ଼ିକ ଉପରେ କେତେକ କଟକଣା ଲଗାଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲକ୍ଷ୍ୟ କରାଯାଇଛି ଯେ ଅନେକ ନୃତ୍ୟ ଆଧାରିତ ରିଅଲିଟି ସୋ ମାନଙ୍କରେ ଛୋଟପିଲାମାନେ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମଗୁଡ଼ିକରେ ବଡ କଳାକାରମାନେ ପ୍ରଦର୍ଶନ କରୁଥିବା କେତେକ ଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ଏହି ପଦକ୍ଷେପ ଗୁଡ଼ିକ ଅତ୍ୟନ୍ତ ଉତ୍ତେଜକ ଏବଂ ଛୋଟପିଲାଙ୍କ ବୟସ ଅନୁରୂପ ନୁହେଁ । ଏହା ଛୋଟ ବୟସରେ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ରହିଛି । ନିୟମ ଅନୁଯାୟୀ ପିଲାମାନଙ୍କୁ କଳଙ୍କିତ କରୁଥିବା କୌଣସି କାର୍ୟ୍ୟ ଟେଲିଭିଜନରେ ପ୍ରସାରିତ ହେବା ଉଚିତ ନୁହେଁ । ପୁନଶ୍ଚ ପିଲାମାନଙ୍କ ପାଇଁ ପ୍ରସାରିତ କାର୍ୟ୍ୟକ୍ରମରେ କୌଣସି ଅଶାଳୀନ ଭାଷା କିମ୍ବା ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶିତ ହେବା ଉଚିତ ନୁହେଁ ବୋଲି ମନ୍ତ୍ରାଳୟ କହିଛି ।
ତେଣୁ ନୃତ୍ୟ ଆଧାରିତ ରିଅଲିଟି ସୋ କିମ୍ବା ସେହିପରି କାର୍ୟ୍ୟକ୍ରମ ମାନଙ୍କରେ ପିଲାମାନଙ୍କୁ ନେଇ କୌଣସି ଉତ୍ତେଜକ, ଅଶାଳୀନ କିମ୍ବା ଅନୁଚିତ ଦୃଶ୍ୟ ପ୍ରଦର୍ଶିତ ନକରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ ଚ୍ୟାନେଲମାନଙ୍କୁ ପରାମର୍ଶ ଦିଆଯାଇଛି । ଏହିପରି ରିଅଲିଟି ସୋ ଏବଂ କାର୍ୟ୍ୟକ୍ରମ ମାନଙ୍କରେ ସର୍ବାଧିକ ସଂଯମ, ସମ୍ବେଦନଶୀଳତା ଓ ସତର୍କତା ପ୍ରଦର୍ଶନ ପାଇଁ ମଧ୍ୟ ଚ୍ୟାନେଲମାନଙ୍କୁ ପୁନଶ୍ଚ ପରାମର୍ଶ ଦିଆଯାଇଛି ।